ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

Aug 30, 2026 - 21:23
ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ ବଳପୂର୍ବକ ଭାବେ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ଗିରଫ ଅଭିଯୁକ୍ତ ଯୁବକଙ୍କୁ ରବିବାର ସନ୍ଧ୍ୟାରେ ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ସୋଫିଆ ମିଶ୍ର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚୁଡୁଙ୍ଗପୁର ଗ୍ରାମର ପି. ସୀମା ପାତ୍ର(୪୦)। କେସ୍‌ ନଂ.୩୬୧/୨୬ରେ ବିଭିନ୍ନ ଦଫା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ମାନସିକ ଅନଗ୍ରସର ଯୁବତୀ ଜଣକ ଘରେ ଏକାକୀ ଖାଇ ବସିଥିବା ବେଳେ ଅଭିଯୁକ୍ତ ତାଙ୍କ ଘରେ ପଶି ଭିତର ପଟୁ କବାଟ ପକାଇ ତାଙ୍କୁ ଅସଦାଚରଣ କରିଥିଲେ। ସେ ଚିତ୍କାର କରିବାରୁ ଘର ବାହାରେ ଥିବା ତାଙ୍କ ସାନ ଭଉଣୀ ଦୌଡ଼ି ଆସିଥିଲେ। ଘର କବାଟ ଭିତରୁ ବନ୍ଦ ଥିବାରୁ ସେ ସାହି ପଡ଼ୋଶୀ ଲୋକଙ୍କୁ ଡକାଇ କବାଟ ଖୋଲିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ପ୍ୟାଣ୍ଟ,ଗାମୁଛା, ଚପଲ ସେଠାରେ ଛାଡ଼ି ଘର ବାଡ଼ିପଟ ଦେଇ ଚମ୍ପଟ ମାରିବା ବେଳେ ଗାଁର କିଛି ବ୍ୟକ୍ତି ତାଙ୍କୁ କାବୁ କରି ନିର୍ଧୂମ ମାଡ଼ ମାରି ପରେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୀଡ଼ିତାଙ୍କ ସାନ ଭଉଣୀ ଏନେଇ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।