ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

Sep 26, 2026 - 13:08
ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ ୮ ଟାରୁ ପାଣି ଛଡ଼ାଯାଉଥିବା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ଜଣାଇଛନ୍ତି। ଡ୍ୟାମର ଉପରମୁଣ୍ଡରେ ଥିବା ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ଗତ ୫ ଦିନ ହେଲା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନଦୀ, ନାଳ ଓ ଶାଖା ନଦୀଗୁଡ଼ିକରେ ପ୍ରବାହିତ ବନ୍ୟାଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି। ଡ୍ୟାମ୍‌ ମଧ୍ୟକୁ ଘଣ୍ଟା ପ୍ରତି ୨୬ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ତେଣୁ ବିଭାଗୀୟ ପ୍ରମୁଖ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡ୍ୟାମ୍‌ରୁ ନଦୀ ମଧ୍ୟକୁ ଘଣ୍ଟା ପ୍ରତି ୧୪ କ୍ୟୁସେକ୍‌ ଜଳ ଛଡ଼ାଯାଉଥିବା ଜଣାପଡ଼ିଛି। ନଦୀ ତଟବର୍ତ୍ତୀ ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ, ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା, ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ଼, ଖୁଲଡ଼ି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନଯିବା ସହ କୌଣସି ଗୃହପାଳିତ ପ୍ରାଣୀମାନଙ୍କୁ ନ ଛାଡ଼ିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ୍ୟାମ ମଧ୍ୟରୁ ଛୋଟ ବଡ଼ କୁମ୍ଭୀର ମଧ୍ୟ ଗେଟ୍‌ ମଧ୍ୟ ଦେଇ ନଦୀ ମଧ୍ୟକୁ ଯାଇପାରେ ବୋଲି ମଧ୍ୟ ଲୋକଙ୍କୁ ସତର୍କ କରାଯାଇଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ଶନିବାର ସକାଳ ସୁଦ୍ଧା ଡ୍ୟାମ୍‌ରେ ୯୬ ଭାଗ ଅର୍ଥାତ୍‌ ୧୧୭.୪୦ ମିଟର ପାଣି ଗଚ୍ଛିତ ରହିଥିଲା। ଡ୍ୟାମ୍‌ରେ ୯୦ ପ୍ରତିଶତ ୧୧୬.୮୦ ମିଟର ପାଣି ରଖାଯାଇ ଉଦ୍‌ବୃତ୍ତ ପାଣି ନଦୀ ମଧ୍ୟକୁ ଛାଡ଼ି ଦିଆଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।