ଛତ୍ରପୁର କଲେଜ ଛକରେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍
ଛତ୍ରପୁର, ୧୮/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର କଲେଜ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକ ବନିତା ସେଠୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ରମ୍ଭା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଦୁର୍ଘଟଣା ପରେ ଆହତ ବନିତାଙ୍କୁ ତୁରନ୍ତ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ, ବନିତା ସେଠୀ ଓ ତାଙ୍କ ଭଉଣୀ ସରିତା ସେଠୀ ବ୍ରହ୍ମପୁର ଏମ୍କେସିଜି ମେଡିକାଲରୁ ସ୍କୁଟି ଯୋଗେ ଫେରୁଥିବାବେଳେ ଛତ୍ରପୁର କଲେଜ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ବନିତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି।
ଦୁର୍ଘଟଣା ଖବର ପାଇ ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଆହତ ବନିତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଛତ୍ରପୁର ଚିକିତ୍ସାଳୟକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଜବତ କରିଛି। ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Dharitri –Odisha’s No.1 Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।