ଛାତ୍ର ସଂସଦ ନିର୍ବାଚନ: ଭୋଟ ଗଣତିରେ ଚଞ୍ଚକତା ଅଭିଯୋଗ, ରାଜପଥରେ ଛାତ୍ରୀଛାତ୍ରଙ୍କ ଧାରଣା
ହାଟଡ଼ିହୀ/ଛେନାପଦୀ,୧୫l୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସମସ୍ତ ପଦବୀରେ ବିଜୟ ହାସଲ କରିଛି। ସଭାପତି ପଦରେ ବୈଶାଖୀ ସାହୁ ଏବଂ ସମ୍ପାଦକ ପଦରେ ମନୋଜ ବାରିକ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ପୂଜାରାଣୀ ଓଝା, ସହ ସମ୍ପାଦକ ଭାବେ ଆରତୀ ସାହୁ, କ୍ରୀଡା ସମ୍ପାଦକ ଭାବେ ଭକ୍ତବନ୍ଧୁ ସାହୁ, କଳା ସମ୍ପାଦକ ଭାବେ ମଧୁସ୍ମିତା ଖଟୁଆ, କଳା ସହ ସମ୍ପାଦକ ଭାବେ ସାଇ ସଂଗ୍ରାମ ଜେନା ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ଏବିଭିପି ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ଛାତ୍ରୀଛାତ୍ରମାନେ ଏକ ବିରାଟ ପଟୁଆରରେ ଢୋଲ ବଜାଇ ବାଣ ଫୁଟାଇ ହାଟଡିହୀ କଲେଜଠାରୁ ଛେନାପଦି ଛକ ପର୍ଯ୍ୟନ୍ତ ଯାଇଥିଲେ।
ଅନ୍ୟପକ୍ଷେ ବିସିଜେଡିର ଛାତ୍ରୀଛାତ୍ରମାନେ ଭୋଟ ଗଣତିରେ ଚଞ୍ଚକତା କରାଯାଇଥିବା ଅଭିଯୋଗ କରି ହାଟଡିହୀ କଲେଜ ସମ୍ମୁଖ ଆନନ୍ଦପୁର-ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ ଉପରେ ଧାରଣାରେ ବସିଛନ୍ତି l ଖବର ପାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରୁଥିବା ବେଳେ ଧାରଣା ଜାରି ରହିଛି।
ଭାଜପା ନେତା ଆଲୋକ ସେଠୀ, ଜିଲା ଭାଜପା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ପ୍ରଭାରୀ ହରମୋହନ ଶାସିନୀ ଏବଂ ଯୁଧିଷ୍ଠିର ମଲିକ, ସୁନୀଲ ନାୟକ, ସୁଶାନ୍ତ ଜେନା, ନାରୀ ନେତ୍ରୀ ମିନତୀ ମହାପାତ୍ର, ଦିପ୍ତିମୟୀ ଖୁଣ୍ଟିଆ, ତୃପ୍ତିମୟୀ ଜେନାଙ୍କ ସହଯୋଗରେ ଏବିଭିପି ଏହି ସଫଳତା ହାସଲ କରିଥିବା ଜଣାପଡିଛି
ସେହିପରି ସୋସୋ-ବଉଳା କଲେଜ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦରେ ଏନ୍ଏସ୍ୟୁଆଇର ସୌମ୍ୟ ରଞ୍ଜନ ନାୟକ ବିଜୟୀ ହୋଇଛନ୍ତି। ଉପସଭାପତି ପଦରେ ବିସିଜେଡିର ଜ୍ୟୋତି ରଞ୍ଜନ ସିଂ ଏବଂ ସମ୍ପାଦକ ପଦରେ ଏନଏସ୍ୟୁଆଇର ସ୍ମୃତିରେଖା ରାଉତ ବିଜୟ ହାସଲ କରିଛନ୍ତି। ସହସମ୍ପାଦିକା ଭାବେ ଏବିଭିପିର ଜୟଶ୍ରୀ ରଥ, କ୍ରୀଡ଼ା ସମ୍ପାଦକ ଭାବେ ଏବିଭିପିର ସିପନ ବେହେରା ଏବଂ ଡ୍ରାମାଟିକ ସମ୍ପାଦକ ଭାବେ ଏବିଭିପିର ହିମାଂଶୁ ମିଶ୍ର ବିଜୟୀ ହୋଇଛନ୍ତି।
ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା, ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି, ସୋସୋ ଥାନା ଅଧିକାରିଣୀ କାନନ ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି, ଶୃଙ୍ଖଳା ରକ୍ଷା କରିଥିଲେ l
ସୋସୋ-ବଉଳା କଲେଜରେ ଅଣଛାତ୍ର ପ୍ରବେଶକୁ ନେଇ କଲେଜ ଛାତ୍ରୀଛାତ୍ର ବିରୋଧ କରିବା ଫଳରେ ଠେଲା ପେଲା ପରିସ୍ଥିତି ଉପୁଜି ଥିଲା l କିଛି ସମୟ ପାଇଁ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା l ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।