ଜଗତପୁରରେ ଦୁଇ ନକଲି ମସଲା ଓ ବେସନ କାରଖାନା ଠାବ: ୫୦ କୁଇଣ୍ଟାଲରୁ ଅଧିକ ମସଲା ଓ କଞ୍ଚାମାଲ ଜବତ
କଟକ-ଜଗତପୁର: ଜଗତପୁର ଶିଳ୍ପାଞ୍ଚଳ ଅଣ୍ଡେଇସାହିରେ ଥିବା ଦୁଇଟି ମସଲା ଓ ନୁଡୁଲ୍ସ ପ୍ରସ୍ତୁତି କାରଖାନା ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଓ ନଗର ସ୍ୱାସ୍ଥ୍ୟ(ଖାଦ୍ୟ ନିରାପତ୍ତା) ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ନକଲି ମସଲା କାରଖାନାରେ ଚଢ଼ଉ ବେଳେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଗୁଡିକର ସ୍ବଚ୍ଛତା ଓ ଗୁଣବତ୍ତାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଥିଲା। ମସଲା କାରଖାନାରେ ବିଭିନ୍ନ ମସଲା ପ୍ରସ୍ତୁତି ବେଳେ ନିମ୍ନମାନର ତଥା ପୋକରା ଓ ଫିମ୍ପି ମାରିଥିବା କଞ୍ଚାମାଲ ସହ ରଙ୍ଗ ଓ କେମିକାଲ ବ୍ୟବହାର କରାଯାଉଥିଲା। ସେହିଭଳି ନିକଟସ୍ଥ ଅନ୍ୟ ଏକ କାରଖାନାରେ ବେସନ ଓ ଚାଉମିନ ପ୍ରସ୍ତୁତିରେ ମଧ୍ୟ ସ୍ବଚ୍ଛତା ନ ଥିଲା। ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଏଗୁଡ଼ିକ ପ୍ରସ୍ତୁତ ହେଉଥିଲା। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ସୌମ୍ୟକାନ୍ତ ନାୟକ, ସୁମିତ ପରିଡ଼ା, ବିଭୁ ପ୍ରସାଦ ଦାସ ଓ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନୃପେନ୍ଦ୍ର ଶତପଥୀ ସାମିଲ ଥିଲେ।
Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ
ସାଇ ଶୁଭଶ୍ରୀ ଏଣ୍ଟରପ୍ରାଇଜର୍ସ ନାମରେ ଏହି ମସଲା କାରଖାନା ଚାଲିଥିଲା। ଏଠାରେ ଭାରତୀ ମସଲା ବ୍ରାଣ୍ଡ୍ରେ ଚିଲି ପାଉଡର, ହଳଦୀ ପାଉଡର, ଧନିଆ ପାଉଡର ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା। ଏଥିସହ ଅନ୍ୟାନ୍ୟ ସାମଗ୍ରୀକୁ ରିପ୍ୟାକେଜିଂ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ବ୍ୟବହୃତ କଞ୍ଚାମାଲ ଲଙ୍କା ଓ ହଳଦୀଗୁଡ଼ିକ ପୋକରା ଓ ଫିମ୍ପି ଲାଗିଥିବା ବେଳେ ପ୍ରସ୍ତୁତ ସାମଗ୍ରୀରେ ରଙ୍ଗ ଓ କେମିକାଲ ମିଶା ହେଉଥିବା ଜଣାପଡ଼ିଥିଲା। ସଂସ୍ଥାର ପଞ୍ଜୀକୃତ ପ୍ରମାଣପତ୍ର ନଥିବା ବେଳେ କାରଖାନାଟି ପ୍ରଥମ ପର୍ଯ୍ୟାୟ (ଦୁଇ ବର୍ଷ)ରେ କେବଳ ଟ୍ରେଡିଂ ଲାଇସେନ୍ସରେ ଚାଲୁଥିଲା। ଉକ୍ତ ଲାଇସେନ୍ସର ଅବଧି ବି ସରି ଯାଇଥିଲା। ଉକ୍ତ କାରଖାନାକୁ ଖାଦ୍ୟ ନିରାପତ୍ତା ଅଧିକାରୀ ସିଲ୍ କରିବା ସହ ୫୦ କୁଇଣ୍ଟାଲରୁ ଅଧିକ ମସଲା ଓ କଞ୍ଚାମାଲ ଜବତ କରି ମାନ ନିର୍ଦ୍ଧାରଣ ନିମନ୍ତେ ସେଗୁଡ଼ିକର ନମୁନା ପରୀକ୍ଷାଗାରକୁ ପଠାଇଛନ୍ତି।
ISRO: ଏନ୍ଭିଏସ୍-୦୩ ଉତ୍କ୍ଷେପଣ; ୩ଟି ପାଇରୋ ଭାଲ୍ଭ ଖୋଲା ରଖିଥିଲା ଇସ୍ରୋ
ସେହିପରି ଉକ୍ତ ନକଲି ମସଲା କାରଖାନା ନିକଟରେ ଥିବା ତ୍ରିବେଣୀ ଏଣ୍ଟରପ୍ରାଇଜେସ ନାମକ ବେସନ ଓ ଚାଓମିନ ପ୍ରସ୍ତୁତି କାରଖାନାରେ ଉତ୍ପାଦନ ପ୍ରକ୍ରିୟା ସ୍ବଚ୍ଛତାରେ ଅନିୟମିତତା ଦେଖିବାକୁ ମିଳିଥିଲା। ଏଠାରେ ଅସ୍ୱାସ୍ଥ୍ୟକର ପରିବେଶରେ ‘ଶ୍ରୀଗୋଲ୍ଡ ବ୍ରାଣ୍ଡ’ରେ ତଡ଼କା, ଜିରା, ଧନିଆ, ମେଥି, କନଫ୍ଲୋର ଭଳି ଖାଦ୍ୟ ସାମଗ୍ରୀ ବଜାରକୁ ପଠାଯାଉଥିଲା। କାରଖାନାର ‘ମାନୁଫାକଚରିଂ ଲାଇସେନ୍ସ’ ନଥିଲା। ପୂର୍ବରୁ ପ୍ରାପ୍ତ ଲାଇସେନ୍ସ ଅବଧି ଶେଷ ହେବା ପରେ ମଧ୍ୟ ବେଆଇନ ଭାବେ କାରଖାନା ଚାଲୁ ରହିଥିଲା। ସେହି କାରଖାନାକୁ ମଧ୍ୟ ସିଲ୍ କରାଯାଇଛି। ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।