ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Sep 20, 2026 - 13:37
ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ ଜଙ୍ଗଲ ମଧ୍ୟରେ ଏକ ମାଈ ହାତୀର ଶବ ପଡ଼ିରହିଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଖବର ପାଇ ରାଇବଣିଆ ବନପାଳ ପ୍ରହ୍ଲାଦ ନାୟକ ଏବଂ ଫରେଷ୍ଟ ଗାର୍ଡ଼ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜଗି ରହିବା ସହ ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖିଥିଲେ। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ବାଲେଶ୍ବର ବନଖଣ୍ଡ ଅଧିକାରୀ (DFO) ଏବଂ ଜଳେଶ୍ବର ରେଞ୍ଜର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପ୍ରାଥମିକ ଆକଳନ ଅନୁଯାୟୀ, ହାତୀଟିର ମୃତ୍ୟୁ ପ୍ରାୟ ୧୦ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ଏବଂ କି କାରଣରୁ ହେଲା, ତାହାର ସଠିକ୍‌ କାରଣ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।