ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

Nov 02, 2026 - 16:33
ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ। ନଭେମ୍ବର ୧ ତାରିଖରେ ନିଜ ଜନ୍ମଦିନ ଅବସରରେ ସେ ୫ ହଜାରରୁ ଅଧିକ ଅସହାୟଙ୍କ ପାଇଁ ଆଜୀବନ ଆଶ୍ରୟ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର କର୍ଜତଠାରେ ନୀତା ଅମ୍ବାନୀ, ମୁକେଶ ଅମ୍ବାନୀ ଏବଂ ସମ୍ପୂର୍ଣ୍ଣ ଅମ୍ବାନୀ ପରିବାର ‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ର ଶିଳାନ୍ୟାସ କରିଛନ୍ତି।
ମୁମ୍ବାଇ ନିକଟସ୍ଥ ମହାରାଷ୍ଟ୍ରର କର୍ଜତଠାରେ ୧୦୦ ଏକର ଜମିରେ ଏହି ଅତ୍ୟାଧୁନିକ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ରିଲାଏନ୍ସ ଫାଉଣ୍ଡେସନର ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପରେ ୫ ହଜାରରୁ ଅଧିକ ଲୋକଙ୍କୁ ଜୀବନସାରା ରହିବା ପାଇଁ ସ୍ନେହପୂର୍ଣ୍ଣ ଘର ମିଳିବ। ଏଠାରେ ଅନାଥ ପିଲା, ବୟସ୍କ ବ୍ୟକ୍ତି ଏବଂ ଶାରୀରିକ ଓ ବିକାଶଗତ ଭିନ୍ନକ୍ଷମ ଶିଶୁ ଓ ବୟସ୍କଙ୍କ ପାଇଁ ରହିବାର ବ୍ୟବସ୍ଥା ରହିବ। ଏହା ସହିତ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା, ଚିକିତ୍ସା ଏବଂ ଯତ୍ନର ସୁବିଧା ଯୋଗାଇ ଦିଆଯିବ। ଯାହାଦ୍ୱାରା ଏହି ଲୋକମାନେ ସମ୍ମାନର ସହ ଏକ ସୁଖମୟ ଜୀବନ ବିତାଇପାରିବେ।
ଏହି ପ୍ରକଳ୍ପର ଶିଳାନ୍ୟାସ ଅବସରରେ ନୀତା ଅମ୍ବାନୀ କହିଛନ୍ତି, ନିଜ ଜନ୍ମଦିନରେ ସମସ୍ତଙ୍କ ସହ ଏକ ସୁନ୍ଦର ଆରମ୍ଭ କରିବାର ସୁଯୋଗ ମିଳିଛି। ଭଗବାନ ଓ ନିଜ ପିତାମାତାଙ୍କ ଆଶୀର୍ବାଦ ସହ ମୁକେଶ ଏବଂ ପରିବାରର ସମର୍ଥନରେ ସେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଠାରେ ଅନାଥ ପିଲାଙ୍କ ପାଇଁ ଅନାଥାଶ୍ରମ, ବୟସ୍କଙ୍କ ପାଇଁ ବୃଦ୍ଧାଶ୍ରମ ଏବଂ ଶାରୀରିକ ଓ ବିକାଶଗତ ଭିନ୍ନକ୍ଷମ ଶିଶୁ ଓ ବୟସ୍କଙ୍କ ପାଇଁ ଆଜୀବନ ରହିବାର ବ୍ୟବସ୍ଥା ରହିବ। ଏହା ୫ ହଜାରରୁ ଅଧିକ ଲୋକଙ୍କ ପାଇଁ ଏକ ସ୍ନେହପୂର୍ଣ୍ଣ ପରିବାର ଭଳି ହେବ ବୋଲି ସେ କହିଛନ୍ତି।

ନୀତା ଅମ୍ବାନୀ ଆହୁରି ମଧ୍ୟ କହିଛନ୍ତି, ପ୍ରତ୍ୟେକ ପିଲା ସ୍ନେହ, ସୁରକ୍ଷା ଓ ଯତ୍ନ ପାଇବାର ଅଧିକାର ରଖେ। ପିଲାର ବାପାମାଆ ଥାଆନ୍ତୁ କି ନଥାଆନ୍ତୁ, ତାକୁ ଭଲପାଇବା ଓ ସୁରକ୍ଷା ମିଳିବା ଦରକାର। ଜଣେ ମାଆ ଭାବେ ସେ ଜାଣନ୍ତି ଯେ, ନିଜ ପିଲାଙ୍କୁ ଖୁସି, ସୁରକ୍ଷିତ ଓ ସୁସ୍ଥ ଦେଖିବା ହେଉଛି ଜଣେ ମାଆଙ୍କ ପାଇଁ ସବୁଠୁ ବଡ଼ ଖୁସି। ଯେଉଁ ପିଲାମାନେ ନିଜ ପିତାମାତାଙ୍କୁ ହରାଇଛନ୍ତି କିମ୍ବା କେବେ ପରିବାରର ସ୍ନେହ ଅନୁଭବ କରିନାହାନ୍ତି, ସେମାନଙ୍କ ପାଇଁ ଏକ ପରିବାର ଗଢ଼ିବା ହେଉଛି ଅନନ୍ତ ଆଶ୍ରୟର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଏହା ସହିତ ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଓ ନିଜ ସ୍ବପ୍ନ ପୂରଣ କରିବାର ସୁଯୋଗ ମିଳିବ। ସେହିପରି ବୟସ୍କମାନଙ୍କୁ ଉପଯୁକ୍ତ ଯତ୍ନ, ସମ୍ମାନ ଓ ସାଥୀ ମିଳିବ। ନୀତା ଅମ୍ବାନୀଙ୍କ ଏହି ପଦକ୍ଷେପକୁ ସାମାଜିକ ସେବା କ୍ଷେତ୍ରରେ ଏକ ବଡ଼ ପ୍ରୟାସ ଭାବେ ଦେଖାଯାଉଛି।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।