ଜମିରେ ପାଣି ନାହିଁ, ଫସଲ ନଷ୍ଟ ଆଶଙ୍କାରେ ଚାଷୀ
ପଦ୍ମପୁର, ୨୩।୧୦ (ପ୍ରଦୀପ୍ତ ଦାଶ): ଧାନ ପାଚିବାକୁ ଆଉ ମାତ୍ର ଏକରୁ ଦୁଇ ସପ୍ତାହ ବାକି। ଏଭଳି ସମୟରେ ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅକ୍ଟୋବରରେ ଆବଶ୍ୟକ ମୁତାବକ ବର୍ଷା ନ ହେବାରୁ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଧାନକ୍ଷେତ ଶୁଖିଲା ପଡ଼ିଛି। ଅନେକ ସ୍ଥାନରେ ଚାଷ ଜମି ମାଟି ଫାଟି ଆଁ କରିଥିବା ବେଳେ ଜଳାଭାବ ଯୋଗୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ଏଭଳି ପରିସ୍ଥିତିରେ ଆସନ୍ନ ଲଘୁଚାପ ବର୍ଷାକୁ ଆଶାବାନ୍ଧି ବସିଛନ୍ତି ଚାଷୀ। ଚଳିତ ବର୍ଷ ଚାଷ ଆରମ୍ଭରୁ ହିଁ ବର୍ଷାର ଅନିୟମିତତା ଚାଷୀଙ୍କୁ ଅସୁବିଧାରେ ପକାଇଥିଲା। ମୌସୁମୀ ବର୍ଷା ବିଳମ୍ବରେ ହେବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବୁଣାଧାନ ଓ ତଳି ନଷ୍ଟ ହୋଇଥିଲା। ପରେ ବର୍ଷା ହେବାରୁ ଚାଷୀ ପୁଣିଥରେ ଚାଷକାମ ଆରମ୍ଭ କରିଥିଲେ।
ମାତ୍ର ଅଗଷ୍ଟ ମାସରେ ଲଗାଣ ବର୍ଷା ଯୋଗୁ ପୁଣି ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଶହ ଶହ ହେକ୍ଟର ଜମିରେ ଧାନ ଫସଲ ପାଣିରେ ବୁଡ଼ି ରହିବାରୁ ବୁଣାଧାନ ସହ ତଳି ମଧ୍ୟ ନଷ୍ଟ ହୋଇଥିଲା। ବର୍ତ୍ତମାନ ବର୍ଷା ଅଭାବ ଯୋଗୁ ଧାନଗଛରେ କେଣ୍ଡା ବାହାରୁଥିବା ସମୟରେ ଜମିରେ ଜଳସଙ୍କଟ ଦେଖାଦେଇଛି।
ପଦ୍ମପୁର, ପାଇକମାଳ, ଝାରବନ୍ଧ, ସୋହେଲା, ଗାଇସିଲେଟ ଓ ବିଜେପୁର ବ୍ଲକ ଅଞ୍ଚଳର ଚାଷୀ ଏହି ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି। ରୋଗପୋକ ଆକ୍ରମଣର ସମ୍ମୁଖୀନ ହୋଇଥିବା ଫସଲକୁ ବଞ୍ଚାଇବା ପାଇଁ ଏବେ ପାଣିର ଆବଶ୍ୟକତା ରହିଛି। ଜଳସେଚନ ସୁବିଧା ନ ଥିବା ଅଞ୍ଚଳର ଅନେକ ଚାଷୀ ନିକଟସ୍ଥ ନାଳ ଓ ଜଳାଶୟରୁ ପାଣି ଉଠାଇ ପମ୍ପ ଯୋଗେ ଜମିରେ ମଡ଼ାଉଛନ୍ତି। ଏଥିପାଇଁ ପାଣିପମ୍ପ ଭଡ଼ା, ଡିଜେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ତଥାପି ଫସଲ ବଞ୍ଚିବ କି ନାହିଁ, ସେନେଇ ଆଶଙ୍କା ଦୂର ହେଉନାହିଁ।
ଅନେକ ସ୍ଥାନରେ ନିକଟରେ ଜଳାଶୟ କିମ୍ବା ନାଳ ନ ଥିବାରୁ ଜଳସେଚନ କରିବା ମଧ୍ୟ ସମ୍ଭବ ହେଉନାହିଁ। ଫସଲକୁ ବଞ୍ଚାଇବା ପାଇଁ ଅତି କମରେ ଗୋଟିଏ ଭଲ ବର୍ଷା ଜରୁରୀ ବୋଲି ଚାଷୀମାନେ କହିଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ରୋଗପୋକ ଆକ୍ରମଣ ଓ ଏବେ ଜଳାଭାବ ଚାଷୀଙ୍କ ଆର୍ଥିକ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଆଗାମୀ ଦିନରେ ଭଲ ବର୍ଷା ନ ହେଲେ ଅନେକ ଅଞ୍ଚଳରେ ଧାନ ଫସଲ ଗୁରୁତର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ତେଣୁ ଆସନ୍ନ ଲଘୁଚାପରୁ ଭଲ ବର୍ଷା ହେବ ଏବଂ ଶୁଖିଲା ପଡ଼ିଥିବା ଧାନକ୍ଷେତରେ ପୁଣି ଜୀବନ ଫେରିବଏହି ଆଶାରେ ଆକାଶକୁ ଚାହିଁ ରହିଛି ଚାଷୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।