ଜମ୍ମୁ-କାଶ୍ମୀରର ଉଧମପୁରରେ ବସ୍ ଦୁର୍ଘଟଣା: ୨ ମୃତ, ୧୫ ଆହତ

Oct 21, 2026 - 13:41
ଜମ୍ମୁ-କାଶ୍ମୀରର ଉଧମପୁରରେ ବସ୍ ଦୁର୍ଘଟଣା: ୨ ମୃତ, ୧୫ ଆହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ଗଭୀର ଘାଟିକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍‌ଟି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ନିକଟବର୍ତ୍ତୀ ଗାଁର ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ୧୭ ଜଣ ଆହତ ଯାତ୍ରୀଙ୍କୁ ବସନ୍ତଗଡ଼ର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ରାମନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆହତ ଜଣେ ମହିଳା ଓ ଜଣେ ୬ ବର୍ଷର ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ୬ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଉଧମପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ବିଜେପିର ବରିଷ୍ଠ ନେତା ତଥା ବିଧାୟକ ସୁନୀଲ ଭରଦ୍ୱାଜ ଡାକ୍ତରଖାନାକୁ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ଦୁର୍ଘଟଣା ଘଟିଥିବା ରାସ୍ତାର ଖରାପ ଅବସ୍ଥାକୁ ନେଇ ସେ ଚିନ୍ତା ପ୍ରକାଶ କରିବା ସହ ଯାତାୟାତକୁ ସୁରକ୍ଷିତ କରିବା ପାଇଁ ରାସ୍ତାର ଉନ୍ନତିକରଣ ଦାବି କରିଥିଲେ। ଏଥିସହ ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଅଞ୍ଚଳର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଧମପୁରର ଜିଲ୍ଲାପାଳ ଅନନ୍ତ ଦ୍ୱିବେଦୀଙ୍କ ସହ କଥା ହୋଇଥିଲେ। ସେ କହିଥିଲେ ଯେ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି ଏବଂ ତାଙ୍କ କାର୍ଯ୍ୟାଳୟ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।