ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

Sep 04, 2026 - 12:10
ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ନିର୍ଭର କରନ୍ତି। ମାଛ ଧରିଲେ ପରିବାର ପୋଷଣ ହୋଇଥାଏ। ଏମାନଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ତଦାରଖ କରୁଛି। ଏହି ପାରମ୍ପରିକ ମତ୍ସ୍ୟଜୀବୀମାନେ ଲାଇଫ ଜ୍ୟାକେଟ, ଲାଇଫ ଗାର୍ଡ ଓ ଅନ୍ୟାନ୍ୟ କିଟ୍‌ ବିନା ବିପଦସଙ୍କୁଳ ଭାବେ ମାଛ ଧରୁଛନ୍ତି। ସାମୁଦ୍ରିକ ଝଡ଼ ହେଉ କି, ଉତ୍ତାଳ ଢେଉରେ ଅନେକ ସମୟରେ ମାଛ ଧରିବା ବୋଟ ବୁଡିଯିବା ଅନେକ ନଜିର ରହିଛି । ସମୁଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ମାଛ ଧରିବା ବୋଟ୍‌ରେ ବିଭିନ୍ନ ଆନୁଷଙ୍ଗିକ କିଟ୍‌ ମହଜୁଦ ରହିବା ବାଧ୍ୟତାମୂଳକ ରହିଛି। ହେଲେ ମାଛ ଧରିବା ବୋଟ୍‌ରେ ଏହି କିଟ୍‌ଗୁଡ଼ିକ ଦେଖିବାକୁ ମିଳୁନି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଅପରପକ୍ଷରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀମାନେ ସଚେତନ କରାଇବା ପାଇଁ ଉଦ୍ୟମ କରୁ ନ ଥିବା କହିଛନ୍ତି ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ। ବୁଦ୍ଧିଜୀବୀ ସ୍ବାଇଁଙ୍କ କହିବା କଥା ପ୍ରତ୍ୟେକ ମାଛ ବୋଟ୍‌ ହେଉ କି ଟ୍ରଲର ମତ୍ସ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ସମୁଦ୍ରରେ ଅଘଟଣ ହେଉଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ବିଶେଷ କରି ମାଦଳି, ଲଞ୍ଚଘୋଲା, ହୁକିଟୋଲା ଷୋଳ ମୁହାଣ ସଂରକ୍ଷିତ ଜଙ୍ଗଲ ଆଦି ଅନତିଦୂରରେ ଫିଶିଂ ବୋଟ ଟ୍ରଲରଗୁଡ଼ିକ ଖୁଲମଖୁଲା ମାଛ ଧରୁଥିବା ନଜରକୁ ଆସିଛି। ବହୁ ସଂଖ୍ୟାରେ ମତ୍ସ୍ୟଜୀବୀମାନେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଡ୍ଡା ଜମାଇବା ସହ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ପୂର୍ବରୁ ବହୁ ଅଭିଯୋଗ ହୋଇଆସୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଞ୍ଚଳ ଅଧୀନରେ ବେଆଇନ ଭାବରେ ପ୍ରବେଶ କରିବା ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିକରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ଚିତ୍ରସେନ ଜେନାଙ୍କ ମତାମତ ନେବାରେ ବିଭାଗ ପକ୍ଷରୁ ତଦାରଖ କରିବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।