ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

Sep 04, 2026 - 19:38
ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ ରାଉତଙ୍କ ନେତୃତ୍ୱରେ ଜିଲାର ସମସ୍ତ ଦିବ୍ୟାଙ୍ଗ କ୍ରିକେଟ ଖେଳାଳି ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ଏହି ଖେଳର ବିକାଶ ଉପରେ ନିଶ୍ଚୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁସାରେ, ଜିଲାର ଦିବ୍ୟାଙ୍ଗମାନେ ଚଳିତବର୍ଷ ନୂତନ ଭାବରେ ସଂଘ ଗଠନକରି ଜେଏସ୍‌ଡିପିଏ ନାମକରଣ କରିଛନ୍ତି। ଏଥିରେ କୋଚ୍‌, ଅଧିନାୟକଙ୍କୁ ମିଶାଇ ମୋଟ ୨୭ ଜଣ ସଦସ୍ୟ ରହିଛନ୍ତି।

ବର୍ତ୍ତମାନ ସଂଘରେ ଆବଶ୍ୟକ କ୍ରିକେଟ ସାମଗ୍ରୀ, ନିୟମିତ ଅଭ୍ୟାସ ସୁବିଧା, ଆର୍ଥିକ ସମ୍ବଳ ଅଭାବ ରହିଛି। ଏହି କାରଣରୁ ଦିବ୍ୟାଙ୍ଗ ଖେଳାଳି ଅଭ୍ୟାସ କରିବା ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବା ପାଇଁ କଷ୍ଟକର ହେଉଛି। ମ୍ୟାଚ ପାଇଁ ଆବଶ୍ୟକ ସାମଗ୍ରୀ ଓ ତାଲିମ ପ୍ରଦାନ ସହ କିଛି ଆର୍ଥିକ ସହାୟତା ପ୍ରଦାନ କରାଗଲେ ସେମାନେ ଆଗକୁ ବଢ଼ିପାରିବେ ବୋଲି ଦର୍ଶାଇଛନ୍ତି।

ଆସନ୍ତା କିଛିଦିନ ଭିତରେ ଭବାନୀପାଟଣାଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଖେଳିବାକୁ ସ୍ଥିର ହୋଇଛି। ସେହିପରି ଚଳିତ ମାସ କଟକଠାରେ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ଥିବାବେଳେ ସେଥିରେ ମନୋନୀତ ଖେଳାଳି ରାଜ୍ୟ ସ୍ତରରେ ପ୍ରତିନିଧିତ୍ୱ କରିବେ। ନଭେମ୍ବର ୧୮ରେ ସୋନପୁରଠାରେ ହୁଇଲଚେୟାର ମ୍ୟାଚ ଥିବାବେଳେ ସେଥିରେ ନୂଆପଡ଼ା ଦଳ ଭାଗ ନେବ। ଏସବୁକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଦିବ୍ୟାଙ୍ଗ କ୍ରିକେଟ ଖେଳାଳିଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବା ପାଇଁ ଦାବି କରିଛନ୍ତି। ଏହି ସମୟରେ ଜିଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଦଳ ଅଧିନାୟକ କୈବଲ ବାଗ, ଉଗ୍ରସେନ ଛତ୍ରିଆ, ସୁରୁ ବାଗ, ଈଶ୍ୱର ମାଝି, କେଶବ ନାଏକଙ୍କ ସମେତ ଅନ୍ୟ ଦିବ୍ୟାଙ୍ଗ କ୍ରିକେଟ ଖେଳାଳି ଉପସ୍ଥିତ ଥିଲେ ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।