ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

Aug 01, 2026 - 19:33
ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ରାତି ପ୍ରାୟ ୮ ଟାରେ ମା ‘ ମହୁରୀ କାଳୁଆ ମନ୍ଦିର ନିକଟ ରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇଥିଲେ। ଥାନା ଏସ.ଆଇ ଏନେଇ ଆଇଆଇସି କିଶୋର କୁମାର ସାମଲଙ୍କୁ ଘଟଣା ଜଣାଇଥିଲେ। ଜୁଆ ଆଡ୍ଡାରେ ଚଢାଉ ପାଇଁ ଅନୁମତି ମିଳିବା ପରେ ପୋଲିସ ଟିମ୍ ଉକ୍ତ ଜୁଆ ଆଡ୍ଡାରେ ଚଢାଉ କରିଥିଲେ। ସେଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଜୁଆ ଖେଳୁଥିଲେ। ପୋଲିସ ଟିମ୍ ୬ ଜଣଙ୍କୁ ଧରି ଥିବା ବେଳେ ଅନ୍ୟମାନେ ଏସ.ଆଇ ଓ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କୁ ହତ୍ୟା ଉଦ୍ୟମ କରି ଧକ୍କା ମାରି ଅନ୍ଧାର ରାତିର ସୁଯୋଗ ନେଇ  ଦୌଡ଼ି ପଳାଇଥିଲେ। ପୋଲିସ ସେଠାରୁ ୪୭,୩୫୦ ଟଙ୍କା, ୧୧ ଟି ବାଇକ,ତାସ ମୁଠା, ଜରିପାଲ ଜବତ କରିଥିଲେ। ଏନେଇ ଥାନା ଏସ.ଆଇ ଥାନାରେ ଏତଲା ଦେବାପରେ ଆଇଆଇସି  ମାମଲା ନଂ.୩୧୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗିରଫ ୬ ଅଭିଯୁକ୍ତଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତରେ ଛଡାଯାଇଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।