ଜେନ୍-ଜିଙ୍କୁ ବଡ ଧୋକା ଦେଲେ ବାଲେନ୍ ଶାହ !

Oct 06, 2026 - 15:03
ଜେନ୍-ଜିଙ୍କୁ ବଡ ଧୋକା ଦେଲେ ବାଲେନ୍ ଶାହ !

ନନ୍ଦିଘୋଷ ବ୍ୟୁରୋ: କଥା ଦେଇ କଥା ରଖିଲେନି ବାଲେନ୍ ସରକାର ! ଜେନ୍-ଜିଙ୍କୁ ମିଳିଲା ବଡ ଧୋକା ।  ବାଲେନଙ୍କ ଚାଲ୍ ରେ ଫସିଗଲେ କି ସରକାର ବଦଳାଇ ଦେଇଥିବା ଜେନ୍-ଜି ? ନେପାଳରେ ଜେନ୍-ଜି ଆନ୍ଦୋଳନକୁ ଗୋଟେ ବର୍ଷ ବିତିଗଲାଣି । ଏହାରି ଭିତରେ କାଠମାଣ୍ଡୁରୁ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଆଉ ଏହି ରିପୋର୍ଟ ଅନୁସାରେ, ଜେନ୍-ଜି ଆନ୍ଦୋଳନ ସମୟରେ ଦେଶରେ ମୋଟ ୧,୭୦୦ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ହେଲେ ଏଥିମଧ୍ୟରୁ କେବଳ ୩୦୦ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରାଯିବ ବୋଲି କୁହାଯାଉଛି । ବାବୂରାମ ରେଗମିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ହୋଇଛି । ଜେନ୍-ଜି ଆନ୍ଦୋଳନ ସମୟରେ ହୋଇଥିବା ମାମଲାର ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଏବଂ ପଦ୍ଧତି ନିର୍ଣ୍ଣୟ କରିବା ପାଇଁ ନେପାଳ ସରକାର ନେପାଳର ଅବସରପ୍ରାପ୍ତ ବିଚାରପତି ବାବୁରାମ ରେଗମିଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ । ଆଉ ସରକାରକୁ ଆସିବା ପରେ ବାଲେନ ଶାହଙ୍କ ସରକାର ଘୋଷଣା କରିଥିଲେ ଯେ, ଜେନ୍-ଜି ଆନ୍ଦୋଳନର ସବୁ ମାମଲା ପ୍ରତ୍ୟାହାର କରାଯିବ । ହେଲେ ଏବେ ସରକାର ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି । ଯାହାକୁ ଜେନ୍-ଜି ମାନେ ଧୋକା ବୋଲି କହୁଛନ୍ତି ।

ସୂଚନା ଅନୁସାରେ, ନେପାଳରେ କେପି ଓଲି ସରକାର ସମୟରେ ମେଟା ବ୍ୟାନ୍ ବିରୋଧରେ ଜେନ୍-ଜି ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେହି ସମୟରେ ୪୪୫ ଟି ମାମଲାରେ ମୋଟ୍ ୧,୭୭୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଯେଉଁଥିରୁ କେବଳ ୩୦୦ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରିନେବାକୁ ସୁପାରିଶ କରାଯାଇଛି । ଏନେଇ ବାବୁରାମ ରେଗମିଙ୍କ ସମିତିର କହିବା କଥା ଯେ, କେବଳ ସାମାନ୍ୟ ପ୍ରତିବାଦ ପାଇଁ ଦାୟର ହୋଇଥିବା ମାମଲାଗୁଡିକୁ ପ୍ରତ୍ୟାହାର କରାଯାଇପାରିବ । କିନ୍ତୁ ପୋଲିସ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ଲୁଟ୍ ସହ ଜଡିତ ମାମଲାଗଡିକ ପ୍ରତ୍ୟାହାର କରାଯାଇପାରିବ ନାହିଁ । ସେହିଭଳି ନେପାଳ ସରକାରଙ୍କ କହିବାନୁସାରେ, ୧,୪୦୦ ରୁ ଅଧିକ ଲୋକଙ୍କ ଉପରେ ସେହି ସମୟରେ ସରକାରୀ ସମ୍ପତ୍ତି ଲୁଟ୍ ଏବଂ ପୋଲିସ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ରହିଛି । ଏଥିରୁ ୫୩ ଜଣଙ୍କ ବିରୁଦ୍ଧରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଅର୍ଥାତ ମାମଲା ବିଚାରଧୀନ ରହିଛି ।

ତେବେ କେପି ଓଲିଙ୍କ ବହିଷ୍କାର ପରେ ସୁଶିଳା କାର୍କିଙ୍କ ନେତୃତ୍ବରେ ନେପାଳରେ ଅନ୍ତରୀଣ ସରକାର ଗଠନ କରାଯାଇଥିଲା । କାର୍କି ସେହି ସମୟରେ ପ୍ରତିବାଦକାରୀଙ୍କ ସହ ଏକ  ଚୁକ୍ତି କରିଥିଲେ ।  ଯେଉଁଥିରେ ସର୍ତ୍ତ ରହିଥିଲା ଯେ, ଜେନ୍-ଜି ଆନ୍ଦୋଳନ ସମୟରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ । ଯାହାପରେ ବାଲେନ ସରକାରଙ୍କ ଗୃହମନ୍ତ୍ରୀ ସୁଦାନ ଗୁରୁଙ୍ଗ ଚଳିତ ବର୍ଷ ମେ ମାସରେ କହିଥିଲେ ଯେ, ସେମାନେ ମାମଲା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ହେଉଛନ୍ତି । କାରଣ ଆନ୍ଦୋଳନରେ ଅଂଶଗ୍ରହଣ କରିବାର ପ୍ରତିଶୋଧ ସ୍ବରୂପ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଏବେ କମିଟିର ସୁପାରିଶଗୁଡିକ ଜେନ୍-ଜିଙ୍କୁ ଚକିତ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।