ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା
ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟରୁ ଜାମିନ ମଞ୍ଜୁର ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକ୍ତ ହୋଇଛନ୍ତି।
ଜେଲରୁ ବାହାରିବା ପରେ ବିଜେଡିର ବରିଷ୍ଠ ନେତା, କର୍ମୀ ଓ ଶତାଧିକ ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଜେଲ ସମ୍ମୁଖରେ ରୁଣ୍ଡ ହୋଇ ଦଳୀୟ କର୍ମୀମାନେ ନିଜ ପ୍ରିୟ ନେତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଓ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ।
ଏହି ସ୍ୱାଗତ ଶୋଭାଯାତ୍ରାରେ ବିଜେଡି ନେତା ସଞ୍ଜୟ ଦାସ ବର୍ମା, ଦେବୀ ପ୍ରସାଦ ମିଶ୍ର, ମାନସ ମଙ୍ଗରାଜ, ମନ୍ମଥ ରାଉତରାୟ, ଚିହ୍ନଟ ସାହୁ, ପ୍ରତାପ ଜେନା, ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, କୈଳାସ ରଣା, ସରୋଜ ସାବତ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ବିଜେଡି କର୍ପୋରେଟର, ଛାତ୍ର, ଯୁବ ଓ ମହିଳା ବିଜେଡିର ଶତାଧିକ ନେତା ଓ କର୍ମୀ ସାମିଲ ଥିଲେ।
ଉଲ୍ଲେଖନୀୟ, ୨୦୨୫ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଇ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ପରବର୍ତ୍ତୀ ସମୟରେ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟରେ ବିକ୍ରମ ପଣ୍ଡା ଷଡ଼ଯନ୍ତ୍ରକାରୀ ନୁହଁନ୍ତି ବୋଲି ଦର୍ଶାଯାଇଥିଲା। ଅନ୍ୟପଟେ ଆବେଦନକାରୀଙ୍କ ଓକିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ, ଗିରଫ ବେଳେ ପୋଲିସ କୌଣସି ଲିଖିତ କାରଣ ଦର୍ଶାଇ ନ ଥିଲା। ପ୍ରତିପକ୍ଷ ଓକିଲ ମଧ୍ୟ ଏସଂକ୍ରାନ୍ତୀୟ ଆବଶ୍ୟକ କାଗଜପତ୍ର କୋର୍ଟରେ ଦାଖଲ କରିବାରେ ବିଫଳ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରି ବିକ୍ରମଙ୍କ ଜାମିନ ମଞ୍ଜୁର କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।