ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା
ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ ତ୍ରିକୋଣ ଭୂମି ଅବବାହିକା ହୁକିଟୋଲା, ଲଞ୍ଚଘୋଲା, ଷୋଳମୁହାଣ, ମାଦଳୀ, ବାବୁବାଲୀ, ଏକକୁଳାନାସି ଓ ସାତଭାୟା ଆଦି ତଟ କୂଳରେ ବଉଳା କୁମ୍ଭୀର, ଡଲଫିନ, ଲାଲ କଙ୍କଡା, ନୀଳରକ୍ତ କଙ୍କଡା, ଜେଲଫିସ୍, ସବୁଜ ଶାମୁକା, ସାର୍କ, ସାଙ୍କୁଚ ଓ ମଗର ଆଦି ଦେଖିବାକୁ ମିଳିଥାଏ। ବିରଳ ପ୍ରଜାତିର ନୀଳ ରକ୍ତ କଙ୍କଡା ଗୋଲାକାର ଓ ଲମ୍ବା ମୁନିଆ କଣ୍ଟା ଘୋଡା ଖୁରାକୃତ।
ବିଶେଷ କରି ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଓ ବଙ୍ଗୋପସାଗର କୂଳରେ ଯୋଡ଼ା ଯୋଡ଼ା ଦେଖିବାକୁ ମିଳେ। ଏହାକୁ ଲିଭିଂ ଫିସ୍ ଶ୍ରେଣୀ ୪ରେ ଅନ୍ତର୍ଭୁକ୍ତ କରାଯାଇଛି। ଗଭୀର ସମୁଦ୍ରରୁ ଆସି କୂଳରେ ମୌସୁମୀ ବର୍ଷା ପରବର୍ତ୍ତୀ ଅକ୍ଟୋବରରୁ ଜାନୁଆରୀ ପର୍ଯ୍ୟନ୍ତ ପୂର୍ଣ୍ଣିମା ଓ ଅମାବାସ୍ୟାର ଉଚ୍ଚ ଜୁଆରରେ ଏମାନଙ୍କ ମିଳନ ଘଟିଥାଏ। ହେଲେ ଏମାନଙ୍କ ବଂଶ ଏବେ ଧୀରେ ଧୀରେ ବିଲୁପ୍ତ ହେଲାଣି। ସାମୁଦ୍ରିକ ଜୈବ ବିବିଧତାରେ ଅସନ୍ତୁଳନ, ଗଭୀର ସମୁଦ୍ରରେ ବଡ଼ ଜାହାଜ ଚଳାଚଳ ସହିତ ଟ୍ରଲର, ବୋଟ ଓ ଗାଞ୍ଜ ଜାଲରେ ଛନ୍ଦିହୋଇ ସେମାନଙ୍କ ଜୀବନ ଯାଉଛି। ସମୁଦ୍ର ତଟରେ ସେମାନଙ୍କୁ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳୁଛି ବୋଲି ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିଛନ୍ତି। ଏମାନଙ୍କ ରକ୍ତରେ ଲୌହ ବଦଳରେ ତମ୍ବା ଓ ହେମାସିଆନିନ୍ ନାମକ ରାସାୟନିକ ପଦାର୍ଥ ମିଶ୍ରିତ ଥିବାରୁ ରକ୍ତ ନୀଳବର୍ଣ୍ଣ ଦେଖାଯାଏ। ମାନବ ଶରୀର ପାଇଁ ଏହି କଙ୍କଡା ରକ୍ତରୁ ବିଭିନ୍ନ ଦୂରାରୋଗ୍ୟ ଔଷଧ ପ୍ରସ୍ତୁତି ହୋଇଥାଏ। କିଛି ବର୍ଷ ପୂର୍ବରୁ ଏହି ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରୁ ନୀଳରକ୍ତ କଙ୍କଡା ଚାଲାଣ ଉପରେ ବନ ବିଭାଗ ବାରଣ କରିଥିଲା, ପରବର୍ତ୍ତୀ ସମୟରେ ଏହାର ଚାଲାଣ ବନ୍ଦ ରହିଛି। ଅପରପକ୍ଷରେ ୨ ବର୍ଷ ପୂର୍ବରୁ ବନ ବିଭାଗ ପକ୍ଷରୁ ବାଲେଶ୍ୱରରେ ୬୦ ନୀଳ ରକ୍ତ କଙ୍କଡାକୁ ସଂଗ୍ରହ କରାଯାଇ ଜିଓ ଟ୍ୟାଗ୍ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସେ ସମୟରେ ସୂଚନା ମିଳିଥିଲା। ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଏହି ଜୀବର ଜିଓ ଟ୍ୟାଗ୍ କରାଗଲେ ଏହି ଜୀବ ବଂଶର ମୂଳ ଉତ୍ସ ସମ୍ପର୍କରେ ଗବେଷଣା କରାଯାଇ ବହୁ ଲୁକ୍କାୟିତ ତଥ୍ୟ ମିଳିପାରିବ ବୋଲି ପରିବେଶପ୍ରେମୀ ସୁବାସ ସ୍ବାଇଁ କହିଛନ୍ତି। ଏ ସସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଓଁଙ୍କରଙ୍କୁ ପଚାରିବାରେ ଦିଲ୍ଲୀସ୍ଥିତ ଜୁଲୋଜିକାଲ ସର୍ବେକ୍ଷଣ ସଂସ୍ଥା(ଜେଡ୍ଏସ୍ଆଇ) ସର୍ଭେ କାର୍ଯ୍ୟ ଚଳାଇଛି। ରାଜନଗର ଓ ଭଦ୍ରକ ଦୁଇଟି ଡିଭିଜନର ସର୍ଭେ ଚାଲିଛି। ଅଦ୍ୟାବଧି ସର୍ଭେ ରିପୋର୍ଟ ମିଳିନି ବୋଲି ସେ କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।