ଝିଅ ସହ କୋଠରିରେ କର୍ମଚାରୀଙ୍କୁ ଦେଖି ରାଗିଗଲେ ମାଲିକ, ପିଟି ପିଟି ମାରିଦେଲେ
ବେଙ୍ଗାଲୁରୁ: ନିଜ ଘରେ ନିଜ ଝିଅ ସହ ଜଣେ କର୍ମଚାରୀଙ୍କୁ ଦେଖିବା ପରେ ରାଗରେ ହିତାହିତ ଜ୍ଞାନ ଭୁଲିଗଲେ ବାପା। ଏହାର ପରିଣାମ ଏତେ ଭୟଙ୍କର ହେଲା ଯେ, ନିଜ କାରଖାନାରେ କାମ କରୁଥିବା ୨୨ ବର୍ଷୀୟ ଯୁବକଙ୍କୁ ପିଟି ପିଟି ମାରିଦେଲେ। ବେଙ୍ଗାଲୁରୁରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକଙ୍କ ନାମ କିରଣ ହୋଇଥିବାବେଳେ ଅଭିଯୁକ୍ତ ବ୍ୟବସାୟୀ ଆନନ୍ଦରାଜଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କେରଳର ପାଲକ୍କାଡ୍ ଜିଲ୍ଲାର ବାସିନ୍ଦା କିରଣ ଗତ କିଛି ବର୍ଷ ହେବ ଆନନ୍ଦରାଜଙ୍କ ଏକ ଉତ୍ପାଦନ କାରଖାନାରେ କାମ କରୁଥିଲେ। ଆନନ୍ଦରାଜଙ୍କ ୧୯ ବର୍ଷୀୟ ଝିଅ ସହ କିରଣଙ୍କ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଆନନ୍ଦରାଜ ନିକଟରେ ଜାଣିବାକୁ ପାଇଥିଲେ। ମଙ୍ଗଳବାର ସକାଳେ ଆନନ୍ଦରାଜ ଓ ତାଙ୍କ ପତ୍ନୀ ଘରୁ ବାହାରିବା ବେଳେ ଦିନସାରା ଫେରିବେ ନାହିଁ ବୋଲି ଝିଅକୁ କହିଥିଲେ। ତେବେ କିଛି ଘଣ୍ଟା ପରେ ଦମ୍ପତି ଘରକୁ ଫେରିବାରୁ ଏକ କୋଠରିରେ ଝିଅ ସହ କିରଣଙ୍କୁ ଦେଖିଥିଲେ। ଏହାପରେ ଆନନ୍ଦରାଜ ପ୍ରଥମେ ଝିଅକୁ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ। ପରେ କିରଣଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ଏଥିରେ କିରଣଙ୍କ ଶରୀରରେ ଏକାଧିକ ଆଘାତ ଲାଗିବା ସହ ସେ ଚେତା ହରାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ଏହି ହତ୍ୟାକାଣ୍ଡ ପୂର୍ବ ଯୋଜନା ଅନୁସାରେ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣା ସମୟରେ ଘରେ ଅନ୍ୟ କେହି ଉପସ୍ଥିତ ଥିଲେ କି ନାହିଁ, ତାହାର ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, କିରଣଙ୍କ ମାମୁଁ ପୁଅ ଭାଇ ପ୍ରସାଦ ମଧ୍ୟ ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, କିରଣଙ୍କ ଭାଇଙ୍କୁ ଏକ ଡେଲିଭରି କାମରେ ଜାଣିଶୁଣି ଉତ୍ତରପ୍ରଦେଶ ପଠାଯାଇଥିଲା, ଯାହାଦ୍ୱାରା କିରଣ ଘରେ ଏକୁଟିଆ ରହିବେ। ତେବେ ଏହି ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।