ଟାଇଗର ଶ୍ରଫଙ୍କ କାର୍ ଉପରକୁ ଗୁଳି ଘଟଣା: ଗୁଳି ଖାଇଥିବା ଦିନ ମଜୁରିଆ ଏବେ ଆଇସିୟୁରେ!

Oct 20, 2026 - 19:50

ସମାଜ ଡେସ୍କ: ସେଇ ବାଟ ଦେଇ ସଉଦା କିଣିବାକୁ ଯାଉଥିଲେ ସେ । ଯାଉ ଯାଉ ଦେଖିଲେ ବଲିଉଡ୍ ଷ୍ଟାର ଟାଇଗର ଶ୍ରୋଫ୍ କାର୍ ପାଖକୁ ଆସୁଛନ୍ତି । ଏତେବଡ଼ ସୁଯୋଗ ହାତ ଛଡ଼ା ନ କରି ତୁରନ୍ତ ଫୋନ୍ ବାହାର କରି ରେକର୍ଡିଂ ଆରମ୍ଭ କରିଦେଲେ । କାର୍ ଝରକା ପାଖେ, ଶ୍ରୋଫଙ୍କ ଠିକ୍ ପାଖରେ ଠିଆ ହୋଇ ଭିଡ଼ିଓ କରିଚାଲିଥିଲେ ସେ । କିନ୍ତୁ ସେ କଣ ଜାଣିଥିଲେ ଏଇକଥା ଟିକକ ପାଇଁ ତାଙ୍କୁ ଛାତି ଭିତରେ ଗୁଳିର ଯଂତ୍ରଣା ସହିବାକୁ ପଡିବ ବୋଲି..ହସ୍ପିଟାଲ ବେଡ୍‌ରେ ଜୀବନ ମରଣ ସଂଘର୍ଷ କରିବାକୁ ପଡିବ ବୋଲି!
ହଁ ଆଜ୍ଞା ଏ ହେଉଛନ୍ତି ସେହି ଦେଖଣାହାରୀ ଯିଏ ଜୁହୁରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଗାଡି ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ହୋଇଥିଲେ । ନାଁ ତାଙ୍କର ଉମେଶ ଚୌହାନ, ଘର ଉତ୍ତର ପ୍ରଦେଶ । ଉମେଶ ମୁମ୍ବାଇ ମହାନଗରୀରେ ଟ୍ୟାକ୍ସି ଡ୍ରାଇଭିଂ ଓ ଦିନ ମଜୁରି ଲାଗିି ଗୁଜୁରାଣ ମେଣ୍ଟାନ୍ତି । ଘରେ ପତ୍ନୀ ଓ ୬ ବର୍ଷର ଶିଶୁପୁତ୍ର ଥିବା ବେଳେ ଆସନ୍ତା ସପ୍ତାହରେ ସେ ଆଉ ଏକ ସନ୍ତାନର ବାପା ହେବାକୁ ଯାଉଛନ୍ତି । କିନ୍ତୁ ବିଧିର ବିଡ଼ମ୍ବନା, ଏବେ ସେ ନିଜ ପତ୍ନୀ ଓ ଶିଶୁପୁତ୍ର ପାଖରେ ନ ରହି ହସ୍ପିଟାଲ୍‌ର ଆଇସିୟୁରେ ଅଛନ୍ତି । ଅବସ୍ଥା ସ୍ଥିର ନ ହେବା ଯାଏ ଅପରେସନ କରାଯାଇ ପାରିବ ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହୁଥିବାରୁ କେବେ ସୁସ୍ଥ ହେବେ ତା’ର ବି କିଛି ହିସାବ ନାହିଁ ।
ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଚୌହାନ କହନ୍ତି, ସେଦିନ ଟାଇଗର ଶ୍ରଫଙ୍କୁ ଏତେ ପାଖରେ ଦେଖି ଭିଡିଓ କରିବାର ଲୋଭକୁ ସେ ସମ୍ଭାଳି ପାରି ନ ଥିଲେ । ତେଣୁ ଶ୍ରଫ କାର୍ ପାଖକୁ ଅସିବା କ୍ଷଣି, ତାଙ୍କ ପାଖାପାଖି ଚାଲିଯାଇ ଭିଡ଼ିଓ କରିବାରେ ଲାଗିଲେ । ହଠାତ୍ କିଛି ଗୋଟେ ଢୋ’ କରି ଶବ୍ଦ କାନକୁ ଶୁଭିଲା । କିଛି ଭାବିବା ପୂର୍ବରୁ ଛାତିରେ ସେ ଅସହ୍ୟ ଯଂତ୍ରଣା ଅନୁଭବ କଲେ । ହାର୍ଟ ଆଟାକ ହୋଇଗଲା ବୋଲି ଭାବି ବିକଳରେ ରଡି ଚିତ୍କାର ପକାଇଲେ । ତା ପରେ ଆଉ କଣ ହୋଇଛି ସେ ଜାଣିନାହାନ୍ତି । ହୋସ୍ ଆସିଲା ବେଳକୁ ନିଜକୁ ହସ୍ପିଟାଲ ବେଡରେ ପାଇଲେ । ସେଇଠି ହିଁ ଜାଣିଲେ ଯେ ସେ ଗୁଳିକାଣ୍ଡର ଶିକାର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏବେ କେ.ଏମ.ସି. ହସ୍ପିଟାଲର ଇମର୍ଜେନ୍ସି ଆଇସିୟୁରେ ରଖାଯାଇଛି । ଇତିମଧ୍ୟରେ ଟାଇଗର ଶ୍ରଫଙ୍କ ମା ମଧ୍ୟ ତାଙ୍କୁ ଭେଟି ସମସ୍ତ ପ୍ରକାର ସହଯୋଗ କରିବାକୁ ଆଶ୍ୱାସନା ଦେଇଚନ୍ତି । ଚୌହାନ ଦିନ ମଜୁରିଆ ଭାବେ କାମ କରୁଥିବାରୁ ତାଙ୍କ ପ୍ରତିଦିନ ରୋଜଗାରରେ ଘର ଚଳେ । ଏବେ ସେ ହସ୍ପିଟାଲରେ ଥିବାରୁ ତାଙ୍କ ପରିବାର ଅସହାୟ ହୋଇପଡିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।