ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ
ଓ୍ବେଲିଂଟନ୍,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳର ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ ରେକର୍ଡକୁ ପଛରେ ପକାଇ ଦେଇଛି। ଉଭୟଙ୍କ ଆକ୍ରମଣାତ୍ମକ ଖେଳ ଆଗରେ ନ୍ୟୁଜିଲାଣ୍ଡ ବୋଲର ଅସହାୟ ହୋଇପଡ଼ିଥିଲେ। ଭାରତ ମାତ୍ର ୨.୨ ଓଭରରେ ୫୦ ରନ ଏବଂ ୫ ଓଭରରେ ୧୦୦ ରନ ପୂରଣ କରି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ନୂଆ ଇତିହାସ ରଚିଛି।
ନ୍ୟୁଜିଲାଣ୍ଡ ଦେଇଥିବା ୧୯୯ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ଅଭିଷେକ ଓ ବୈଭବ ଏପରି ଭାବେ ରନ ସଂଗ୍ରହ କରିଥିଲେ ଯେ, ମାତ୍ର ୨.୨ ଓଭରରେ ଭାରତ ୫୦ ରନ୍ରେ ପହଞ୍ଚିଯାଇଥିଲା। ଏହା ପୂର୍ବରୁ ଅନ୍ତର୍ଜାତୀୟ ଟି-୨୦ରେ ପାପୁଆ ନ୍ୟୁ ଗିନି ବନାମ ଭାନୁଆଟୁ ମ୍ୟାଚ୍ରେ ୨.୨ ଓଭରରେ ୫୦ ରନ ପୂରଣ ହୋଇଥିଲା। ୨୦୨୧ରେ ରୋମାନିଆ ଓ ସର୍ବିଆ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ମଧ୍ୟ ସମାନ ସମୟରେ ଦଳ ୫୦ ରନ କରିଥିଲା। ଅନ୍ୟପକ୍ଷରେ, ଆଇସିସିର ଫୁଲ ମେମ୍ବର ଦଳଗୁଡ଼ିକ ମଧ୍ୟରେ ଏହି ଦ୍ରୁତ ଅର୍ଦ୍ଧଶତକ ଏକ ନୂଆ ରେକର୍ଡ। ଏହା ପୂର୍ବରୁ ୨୦୦୯ରେ ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡ ବିପକ୍ଷରେ ୨.୪ ଓଭରରେ ୫୦ ରନ ପୂରଣ କରିଥିଲା।
ଭାରତୀୟ ବ୍ୟାଟରଙ୍କ ଆକ୍ରମଣ ଏତିକିରେ ଥମି ନ ଥିଲା। ଦଳ ମାତ୍ର ୫ ଓଭର ବା ୩୦ଟି ବଲ୍ରେ ୧୦୦ ରନ ପୂରଣ କରିଥିଲା। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଏହା ଏକ ନୂଆ ବିଶ୍ୱ ରେକର୍ଡ। ଏହା ପୂର୍ବରୁ ୨୦୨୧ରେ ରୋମାନିଆ ସର୍ବିଆ ବିପକ୍ଷରେ ୫.୨ ଓଭରରେ ୧୦୦ ରନ କରିଥିଲା। ସେହିପରି ୨୦୨୩ରେ ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ ବିପକ୍ଷରେ ୫.୩ ଓଭରରେ ଏହି ମାଇଲଖୁଣ୍ଟ ଛୁଇଁଥିଲା। ଭାରତର ଏହି ଆରମ୍ଭ ମ୍ୟାଚକୁ ଏକପାଖିଆ କରିଦେଇଥିଲା।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଭାରତ ସମ୍ମୁଖରେ ୧୯୯ ରନ୍ର ଲକ୍ଷ୍ୟ ରଖିଥିଲା। କିନ୍ତୁ ଭାରତୀୟ ବ୍ୟାଟରମାନେ ମାତ୍ର ୧୩.୨ ଓଭରରେ ୪ ଉଇକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଲେ।
୫ମ ଓଭର ଶେଷ ହେବା ପୂର୍ବରୁ ଭାରତ ୧୦୦ ରନ କରିସାରିଥିଲା। ୭.୧ ଓଭରରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଥମ ଉଇକେଟ ପଡ଼ିବା ବେଳକୁ ଭାରତର ସ୍କୋର ୧୩୩ ରନ୍ରେ ପହଞ୍ଚିଥିଲା। ଏହାପରେ ମଧ୍ୟ ଅଭିଷେକ ଶର୍ମାଙ୍କ ବ୍ୟାଟ୍ରୁ ରନ ବର୍ଷା ଜାରି ରହିଥିଲା। ଦଶମ ଓଭରରେ ଦ୍ୱିତୀୟ ଉଇକେଟ ପଡ଼ିବା ସମୟରେ ଭାରତ ୧୭୮ ରନ କରିସାରିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।