ଟିକିରିରେ ବନ ବିଭାଗର ଚଢ଼ାଉ: ୭୪ ଖଣ୍ଡ ଶାଳ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ
ଟିକିରି, ୧୯/୧୦/୨୦୨୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଏକ ବଡ଼ଧରଣର ବେଆଇନ କାଠ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି। ବନ ବିଭାଗର ଚଢ଼ାଉରେ ୭୪ ଖଣ୍ଡ ଶାଳ କାଠ ବୋଝେଇ ଏକ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ ଜବତ ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟିକିରି ରେଞ୍ଜର ଅନିଲ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଟିକିରି ଫରେଷ୍ଟର ଡମ୍ବରୁଧର ସେନାପତିଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ନିୟମିତ ଭାବେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖର୍କା ନାଳା ଓ ଲେଲିଗୁମ୍ମା ନିକଟରେ ଏକ ସନ୍ଦେହଜନକ ମହିନ୍ଦ୍ରା ପିକ୍ଅପ୍ ଭ୍ୟାନ୍ (ନମ୍ବର: OR 08F 6123) ଯାଉଥିବା ଦେଖି ବନ ବିଭାଗର ଟିମ୍ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ ସମୟରେ ଗାଡ଼ିରେ ବେଆଇନ ଭାବେ ବୋଝେଇ ହୋଇଥିବା ୭୪ ଖଣ୍ଡ ଶାଳ କାଠ ମିଳିଥିଲା। ଏହାପରେ ବନ ବିଭାଗ ପକ୍ଷରୁ କାଠ ସହ ପିକ୍ଅପ୍ ଭ୍ୟାନ୍ଟିକୁ ଜବତ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଏହି ବେଆଇନ କାଠ ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ଏହା ପଛରେ କୌଣସି ବଡ଼ ଚୋରା କାଠ ଚାଲାଣ ରାକେଟ୍ କାମ କରୁଛି କି ନାହିଁ, ସେ ଦିଗରେ ବନ ବିଭାଗ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।