ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

Oct 07, 2026 - 16:07
ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

ଲକ୍ଷ୍ନୌ,୭।୧୦: ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବରେଲିର ପୂର୍ବତନ ଭାଜପା ଏମପି ଧର୍ମେନ୍ଦ୍ର କଶ୍ୟପଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ ହୋଇଛି । ଧର୍ମେନ୍ଦ୍ର କଶ୍ୟପ ନିଜ ଫେସବୁକ୍ ଆକାଉଣ୍ଟରେ କେବଳ ‘ଟାଟା ବାଏ-ବାଏ’ ଲେଖିବା ପରେ ଏହା ଭାଇରାଲ୍ ହୋଇଛି ।

ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କ ସମର୍ଥକ ଓ କାର୍ଯ୍ୟକର୍ତ୍ତାମାନେ ତାଙ୍କ ଘରେ ପହଞ୍ଚିଥିଲେ। ଧର୍ମେନ୍ଦ୍ରଙ୍କ ଫୋନ୍ ମଧ୍ୟ ଲଗାତାର ବାଜିବାକୁ ଲାଗିଥିଲା। ତାଙ୍କ ଏହି ପୋଷ୍ଟର ଅର୍ଥ କ’ଣ, ସେ ଦଳ ଛାଡ଼ିବେ କି ନାହିଁ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନିଜ ନାଁ ନଥିବାରୁ ଧର୍ମେନ୍ଦ୍ର କଶ୍ୟପ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଏପରିକି ସେ ଭଜପା ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେଇପାରନ୍ତି ବୋଲି ମଧ୍ୟ କଳ୍ପନାଜଳ୍ପନା ଚାଲିଛି । ତେବେ ତାଙ୍କ ‘ଟାଟା ବାଏ-ବାଏ’ ପୋଷ୍ଟ ପଛରେ ପ୍ରକୃତ କାରଣ କ’ଣ, ସେନେଇ ଏବେ ବି ସସ୍ପେନ୍ସ ଜାରି ରହିଛି।

ଧର୍ମେନ୍ଦ୍ର କଶ୍ୟପ ନିଜ ଝିଅ କୀର୍ତ୍ତି କଶ୍ୟପଙ୍କୁ ରାଜନୀତିରେ ଆଗକୁ ନେବା ପାଇଁ ସକ୍ରିୟ ଥିବା ଚର୍ଚ୍ଚା ହେଉଥିଲା। ଝିଅଙ୍କ ପାଇଁ ରାଜ୍ୟ ସଭା ଟିକେଟ୍ ଦାବି କରୁଥିବା ନେଇ ମଧ୍ୟ ଆଲୋଚନା ହେଉଥିଲା। କିନ୍ତୁ ରାଜ୍ୟ ସଭା ତାଲିକା ପ୍ରକାଶ ପାଇବା ପରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିବା କୁହାଯାଉଛି। ଧର୍ମେନ୍ଦ୍ର କଶ୍ୟପ ୨୦୦୨ରେ ବିଏସ୍‌ପି ଟିକେଟରେ ପ୍ରଥମଥର ବିଧାୟକ ହୋଇଥିଲେ। ୨୦୦୩ରେ ସେ ସମାଜବାଦୀ ପାର୍ଟିରେ ଯୋଗଦେଇ ରାଜ୍ୟମନ୍ତ୍ରୀ ହୋଇଥିଲେ। ୨୦୦୯ ଲୋକ ସଭା ନିର୍ବାଚନରେ ଆଁଓଲା ଆସନରୁ ଭାଜପା ପ୍ରାର୍ଥୀ ମେନକା ଗାନ୍ଧୀଙ୍କଠାରୁ ଅଳ୍ପ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ ।

ପରେ ସେ ଭାଜପାରେ ଯୋଗଦେଇଥିଲେ । ୨୦୧୪ ଓ ୨୦୧୯ରେ ଭାଜପା ଟିକେଟରେ ଏମପି ହୋଇଥିଲେ । ତେବେ ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନୀରଜ ମୌର୍ଯ୍ୟଙ୍କଠାରୁ ୧୫,୯୭୦ ଭୋଟରେ ହାରିଥିଲେ। ‘ଟାଟା ବାଏ-ବାଏ’ ପୋଷ୍ଟକୁ ନେଇ ଧର୍ମେନ୍ଦ୍ର କଶ୍ୟପ ନିଜ ମତ ମଧ୍ୟ ରଖିଛନ୍ତି । ସେ ଏକ କହିଛନ୍ତି, “ଆଖିରେ ରହିଲ ହେଲେ ହୃଦୟର ଗଭୀରତାକୁ ଦେଖିଲ ନାହିଁ ।”

ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ସମର୍ଥକମାନଙ୍କର ଏକ ବୈଠକ ଡକାଯିବ। ସେଠାରେ ସମର୍ଥକମାନଙ୍କ ମତାମତ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ରାଜ୍ୟ ସଭା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିବା ସହ, “ଟିକେଟ୍ ଯେଉଁଠାରୁ ଚାହିବୁ, ସେଠାରୁ ମିଳିବ” ବୋଲି ମଧ୍ୟ କହିଛନ୍ତି। ଧର୍ମେନ୍ଦ୍ର କଶ୍ୟପ ଆହୁରି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଯେଉଁମାନେ ଖୋଲାଖୋଲି ତାଙ୍କ ବିରୋଧ କରିଥିଲେ, ସେମାନେ ଯଦି ଦଳରେ ଆଗ ଧାଡ଼ିରେ ବସିବେ ଏବଂ ସେମାନଙ୍କ ବିରୋଧରେ ଦଳ କୌଣସି ପଦକ୍ଷେପ ନେବ ନାହିଁ, ତେବେ ତାଙ୍କ ଭଳି ବ୍ୟକ୍ତିଙ୍କ ପାଇଁ ‘ଟାଟା-ବାଏ-ବାଏ’ କହିବା ସ୍ୱାଭାବିକ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।