ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….
ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଭାରତ ୩-୨ରେ ଜିତିଥିଲା। ଏବେ ଦିନିକିଆ ସିରିଜ୍ରେ ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେବେ । ପ୍ରଥମ ୩ଟି ମ୍ୟାଚ୍ରେ ଗିଲ୍ ଅଧିନାୟକ ରହିବେ । ଶେଷ ୨ଟି ମ୍ୟାଚ୍ରେ ଶ୍ରେୟସ ଆୟର ଦଳର ନେତୃତ୍ୱ ନେବେ।
ସିରିଜ୍ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ଗିଲ୍ ଦଳର ଖେଳାଳି ଚୟନ ଓ ଆଗାମୀ ଟେଷ୍ଟ ସିରିଜ୍କୁ ନେଇ ନିଜର ମତ ରଖିଛନ୍ତି । ସମସ୍ତ ଖେଳାଳି ଫିଟ୍ ଥିଲେ ଭାରତ ନିଜର ଶକ୍ତିଶାଳୀ ଦଳ ସହ ପୂରା ଦିନିକିଆ ସିରିଜ୍ ଖେଳିପାରିଥାନ୍ତା ବୋଲି ସେ କହିଛନ୍ତି।
ଗିଲ୍ କହିଛନ୍ତି, “ଯଦି ଏହା ମୋ ହାତରେ ଥାଆନ୍ତା ଏବଂ ସମସ୍ତ ଖେଳାଳି ଫିଟ୍ ଥାଆନ୍ତେ, ତେବେ ମୁଁ ଚାହିଁଥାନ୍ତି ସେମାନେ ସମସ୍ତେ ପୂରା ଦିନିକିଆ ସିରିଜ୍ ଖେଳନ୍ତୁ। କିନ୍ତୁ ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଯଦି ପ୍ରଥମେ ଦିନିକିଆ, ପରେ ଟି-୨୦ ଏବଂ ତା’ପରେ ଟେଷ୍ଟ ସିରିଜ୍ ହୋଇଥାଆନ୍ତା, ତେବେ ଆମେ ଆମର ସବୁଠାରୁ ଶକ୍ତିଶାଳୀ ଦଳ ସହ ୫ଟି ଯାକ ଦିନିକିଆ ଖେଳିପାରିଥାନ୍ତୁ । କିନ୍ତୁ ସିରିଜ୍ ମଧ୍ୟରେ ବ୍ୟବଧାନ କମ୍ ଥିବାରୁ ତାହା ସମ୍ଭବ ହୋଇପାରିନାହିଁ।” ଦିନିକିଆ ଓ ଟେଷ୍ଟ ଉଭୟ ସିରିଜ୍ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଟି-୨୦ ଓ ଟେଷ୍ଟ ସିରିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯାଉଥିବାରୁ ଟେଷ୍ଟ ଦଳର କିଛି ଖେଳାଳି ଶେଷ ଦୁଇଟି ଦିନିକିଆରୁ ବାଦ୍ ପଡ଼ିବେ । ନଭେମ୍ବର ୧୫ରେ ଦିନିକିଆ ସିରିଜ୍ ଶେଷ ହେବାକୁ ଥିବାବେଳେ ନଭେମ୍ବର ୧୯ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବ।
ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ୍ ରାହୁଲ (ୱିକେଟ୍କିପର), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କାମ୍ବୋଜ, ଗୁରନୂର ବରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଈଶାନ କିଶନ (ୱିକେଟ୍କିପର), ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ ନୀତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ଦିନିକିଆ ପାଇଁ)।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।