ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା

Nov 07, 2026 - 10:46
ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଶାମି, ଏବେ ଆଇପିଏଲ ଖେଳିବେ ନା ନାହିଁ , କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୧୧: ୬ ନଭେମ୍ବର ୨୦୨୬ରେ ମହମ୍ମଦ ଶାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରି ସେ ନିଜ ଅବସର ସମ୍ପର୍କରେ ଜଣାଇଛନ୍ତି। ଭାରତୀୟ ଦ୍ରୁତ ବୋଲର ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି, ଦିନିକିଆ (ODI) ଓ ଟି-୨୦ରୁ ନୁହେଁ। ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ଶାମି ଭାରତୀୟ ଦଳକୁ ଫେରିନାହାନ୍ତି। ତଥାପି ରଣଜୀ ଟ୍ରଫି ସମେତ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଶାମି କ’ଣ ଆଇପିଏଲରେ ମଧ୍ୟ ଖେଳିବେ ନାହିଁ?

ଏହାର ଉତ୍ତର ନିଜେ ମହମ୍ମଦ ଶାମି ଦେଇଛନ୍ତି। ଆଇପିଏଲକୁ ନେଇ ସେ ଏକ ବଡ଼ ଅପଡେଟ ଦେବା ସହ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ନିଜ ଟେଷ୍ଟ କ୍ୟାପ ନମ୍ବର ୨୭୯ ଓ ଲାଲ ବଲକୁ ଉଲ୍ଲେଖ କରି ଶାମି କହିଛନ୍ତି, ମୁଁ ଏହାର ସାଥ ଛାଡ଼ୁଛି। କିନ୍ତୁ ହୱାଇଟ ବଲ କ୍ରିକେଟ ନିଶ୍ଚିତ ଭାବେ ଖେଳିବି। ତାହା ଆଇପିଏଲ ହେଉ କିମ୍ବା ଘରୋଇ କ୍ରିକେଟ।

ଶାମି ସ୍ପଷ୍ଟ କରିଛନ୍ତି ଯେ, ଏବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ହୱାଇଟ ବଲ କ୍ରିକେଟ ଉପରେ ରହିବ। ତେବେ ସେ ରଣଜୀ ଟ୍ରଫି ଖେଳିବା ମଧ୍ୟ ଜାରି ରଖିବେ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଏଣିକି କେବଳ ଦିନିକିଆ ଓ ଟି-୨୦ ଫର୍ମାଟରେ ହିଁ ଖେଳିପାରିବେ। ଏଥିସହ ନିଜ ଫିଟନେସ ବଜାୟ ରଖିବା ପାଇଁ ଆବଶ୍ୟକ ପଡ଼ିଲେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିବେ ବୋଲି କହିଛନ୍ତି। ଚଳିତ ୨୦୨୬-୨୭ ରଣଜୀ ଟ୍ରଫି ସିଜନ୍ରେ ଏପର୍ଯ୍ୟନ୍ତ ଶାମି ୩ଟି ମ୍ୟାଚ ଖେଳି ୧୪ଟି ଉଇକେଟ୍‌ ହାସଲ କରିଛନ୍ତି।

ମହମ୍ମଦ ଶାମି ୬ ନଭେମ୍ବର ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ପଦାର୍ପଣ ମ୍ୟାଚରେ ହିଁ ସେ ମୋଟ ୯ଟି ଉଇକେଟ୍‌ ନେଇ ଚର୍ଚ୍ଚାକୁ ଆସିଥିଲେ। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ସେହି ମ୍ୟାଚର ପ୍ରଥମ ଇନିଂସରେ ଶାମି ୪ଟି ଏବଂ ଦ୍ୱିତୀୟ ଇନିଂସରେ ୫ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ନିଜର ୬୪ ମ୍ୟାଚ୍ର ଟେଷ୍ଟ କ୍ୟାରିୟରରେ ସେ ମୋଟ ୨୨୯ଟି ଉଇକେଟ୍‌ ନେଇଛନ୍ତି।

ଶାମି ଶେଷ ଥର ପାଇଁ ଜୁନ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେହି ମ୍ୟାଚରେ ଦୁଇଟି ଇନିଂସକୁ ମିଶାଇ ସେ ମୋଟ ୪ଟି ଉଇକେଟ୍‌ ନେଇଥିଲେ। ଯେଉଁ ନଭେମ୍ବର ୬ ତାରିଖରେ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା, ଠିକ ୧୩ ବର୍ଷ ପରେ ସେହି ତାରିଖରେ ହିଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି ମହମ୍ମଦ ଶାମି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।