ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

Sep 03, 2026 - 23:00
ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା ଏକ ମାଲବାହୀ ଟ୍ରକ (ନଂ. ଓଡ଼ି୦୭ ଏଭି- ୩୪୦୦) ସମ୍ମୁଖ ଭାଗକୁ ଧକ୍କା ଦେଇ ଏକ ସ୍କୁଟି(ନଂ.ଓଡ଼ି୦୭ବିବି-୦୦୭୩) ଟ୍ରକ ତଳେ ପଡିଯିବାରୁ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ଜଣାପଡ଼ିନାହିଁ। ଏନେଇ ଥାନାରେ କୌଣସି ସୂଚନା ନ ଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି। ସ୍କୁଟି ଚାଳକ ଜଣକ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରିବା ସମୟରେ ଅନିୟନ୍ତ୍ରଣ ହରାଇ ଟ୍ରକ ତଳେ ପଶିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଦିଗପହଣ୍ଡି-ବ୍ରହ୍ମପୁର ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଏକାଧିକ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ଗୁରୁତର ଆହତ ହୋଇଥିବା ନଜିର ରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ, ଗୋଡ଼ି ଉଠି ଗଲାଣି। ଏପରିକି ରାସ୍ତାରେ ସ୍ପିଡ ବ୍ରେକର ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଦିଗପହଣ୍ଡି ସହର ସଂଲଗ୍ନ ମୁଖ୍ୟ ରାସ୍ତାର ଉଭୟ କଡ଼ରେ ଅନେକ ଭାରିଯାନ ବେଆଇନ ଭାବେ ପାର୍କିଂ ହୋଇ ରହୁଛି। ଫଳରେ ରାତିରେ ଯାତାୟତ କରୁଥିବା ବାଇକ୍‌, କାର, ଭ୍ୟାନ ଚାଳକ ଅସୁବିଧାରେ ପଡିବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାକଡରେ ଇଣ୍ଡିକେଟର ଲାଇଟ୍‌ ନ ଜଳାଇ ବେଆଇନ ଭାବେ ପାର୍କିଂ ଯୋଗୁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ରାସ୍ତା କଡ଼ରେ ହେଉଥିବା ବେଆଇନ ପାର୍କିଂ ଉପରେ କଡ଼ା ପଦକ୍ଷେପ ନେବା ସହ ଲୋକଙ୍କ ଯାତାୟାତ ବ୍ୟବସ୍ଥାକୁ ସୁରକ୍ଷିତ କରିବାକୁ ସାଧାଣରେ ଦାବି ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।