ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର
ରାଇରଙ୍ଗପୁର, ୧୪।୯ (ମାନସ ରଞ୍ଜନ ମହାନ୍ତି): ବହଳଦା ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଟାଟା ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି-ବାସିଙ୍ଗୀ ମଧ୍ୟରାସ୍ତା ତିତିଲି ଢାବା ନିକଟରେ ସୋମବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଧକ୍କାରେ କାର୍ର ସମ୍ମୁଖ ଭାଗ ଚୁରମାର୍ ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ତିରିଂ ଉଚ୍ଚ ବିଦ୍ୟାଳୟରେ ଗଣେଶ ପୂଜା ହେଉଥିବାରୁ ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ରାଇରଙ୍ଗପୁରରୁ ନିଜେ କାର୍ ଚଳାଇ ତିରିଂ ସ୍କୁଲ ଅଭିମୁଖେ ଯାଉଥିଲେ। କାଦୁଆଣି ନିକଟରେ ତାଙ୍କ କାର୍ ସହ ଏକ ଦ୍ରୁତଗାମୀ ଟ୍ରକ୍ର ଧକ୍କା ହୋଇଥିଲା। ଫଳରେ ରଞ୍ଜନ ନନ୍ଦ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କ ଡାହାଣ ଗୋଡ଼ ଓ ହାତ ଭାଙ୍ଗିଥିବା ଜଣାପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ରଞ୍ଜନ ନନ୍ଦ ଜଣେ ପରୋପକାରୀ, ମେଳାପୀ, ଅମାୟିକ ଓ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ। ଦୁର୍ଘଟଣା ଖବର ପାଇ ତାଙ୍କ ଶୁଭେଚ୍ଛୁମାନେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ।
ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ କାର୍କୁ ଜବତ କରିଛି। ଏଥିସହ ଦୁର୍ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।