ଟ୍ରାକ୍ଟର ପଛରେ ଧକ୍କା ହେଲା ଓଏସଆରଟିସି ବସ
ସୁବର୍ଣ୍ଣପୁର : କୁହୁଡି ଯୋଗୁଁ ଘଟିଲା ଦୁର୍ଘଟଣା । ଘନ କୁହୁଡି ଯୋଗୁଁ ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲାରେ ଓଏସଆରଟିସି ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଛି । ଧାନ କଟା ମେସିନ୍ ବୋଝେଇ କରି ଟ୍ରାକ୍ଟରଟି ଯାଉଥିବାବେଳେ ପଛପଟୁ ଓଏସଆରଟିସି ର ସରକାରୀ ବସ୍ ଧକ୍କା ଦେଇଥିଲା । ଏଥିରେ ବସ୍ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଆଜି ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଓଏସଆରଟିସି ବସ୍ଟି ସୁବର୍ଣ୍ଣପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କୁଲିପାଲି ନିକଟରେ ଏକ ଧାନ କଟା ମେସିନ୍ ବୋଝେଇ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା । ଶୀତ ସକାଳର ଘନ କୁହୁଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟ ଦେଖାନଯିବାରୁ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ସମେତ ନିକଟରେ ଯାଉଥିବା ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।