ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

Sep 29, 2026 - 19:04
ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା ନ ଭରିଲେ ଏହାକୁ ଆଦାୟ କରିବା ପାଇଁ କଠୋର ପଦକ୍ଷେପ ନେଇ ବିଚାର କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । କଣ ଜାଣନ୍ତୁ…

ବକେୟା ଟ୍ରାଫିକ୍‌ ଚାଲାଣ ଆଦାୟ ପାଇଁ ଏହାକୁ ବିଜୁଳି ବିଲ୍‌ ସହ ଯୋଡ଼ିବାର ସମ୍ଭାବନା ନେଇ କୋର୍ଟ ମତ ରଖିଛନ୍ତି। ଅର୍ଥାତ୍‌, ଜରିମାନା ନ ଦେଲେ ଅନ୍ୟ ସରକାରୀ ବକେୟା ସହ ଏହାକୁ ଯୋଡ଼ି ଆଦାୟ କରିବାର ଉପାୟ ଖୋଜିବାକୁ କୁହାଯାଇଛି। ଏହା ସହିତ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରଖୁଥିବା ଗାଡ଼ି ମାଲିକଙ୍କ ଉପରେ ପରିବହନ ସମ୍ବନ୍ଧୀୟ ସେବାରେ କଟକଣା ଲଗାଇବା ନେଇ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଆର୍‌ସି ନବୀକରଣ, ଡୁପ୍ଲିକେଟ୍‌ ଆର୍‌ସି ଏବଂ ମାଲିକାନା ପରିବର୍ତ୍ତନ ଭଳି କାର୍ଯ୍ୟକୁ ବକେୟା ଚାଲାଣ ପରିଶୋଧ ହେବା ପର୍ଯ୍ୟନ୍ତ ରୋକିବା ନେଇ ପ୍ରସ୍ତାବ ରହିଛି।

ସେହିପରି ବକେୟା ଚାଲାଣ ଥିବା ଗାଡ଼ିକୁ ପରିବହନ ପୋର୍ଟାଲରେ ବ୍ଲାକଲିଷ୍ଟ କରିବା ଏବଂ ଗାଡ଼ିର ମାଲିକାନା ହସ୍ତାନ୍ତର ଉପରେ ରୋକ ଲଗାଇବା ନେଇ ମଧ୍ୟ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଗାଡ଼ି ସମ୍ପର୍କିତ ବିଭିନ୍ନ ସେବା ନେବା ପୂର୍ବରୁ ବକେୟା ଜରିମାନା ପରିଶୋଧ କରିବାକୁ ପଡ଼ିପାରେ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମିଳୁଥିବା PUC ସାର୍ଟିଫିକେଟ୍‌କୁ ମଧ୍ୟ ବକେୟା ଚାଲାଣ ସହ ଯୋଡ଼ିବା ନେଇ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଅର୍ଥାତ୍‌, ଜରିମାନା ପରିଶୋଧ ନକରିଲେ ଗାଡ଼ି ସମ୍ପର୍କିତ ଅନ୍ୟାନ୍ୟ ସେବା ମିଳିବାରେ ସମସ୍ୟା ହୋଇପାରେ ବୋଲି ଏହି ପ୍ରସ୍ତାବରୁ ସଙ୍କେତ ମିଳୁଛି।

ତେବେ ବିଜୁଳି କାଟିବା କିମ୍ବା ଗାଡ଼ି ଜବତ କରିବା ଭଳି ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଏକ ଚୂଡ଼ାନ୍ତ ନିୟମ ଭାବେ ବୁଝିବା ଉଚିତ୍‌ ନୁହେଁ। ଏଗୁଡ଼ିକ ବକେୟା ଟ୍ରାଫିକ୍‌ ଜରିମାନା ଆଦାୟ ପାଇଁ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଓ ବିଚାରଯୋଗ୍ୟ ପଦକ୍ଷେପ। ଆଗାମୀ ଦିନରେ ଏନେଇ ସରକାରୀ ନିଷ୍ପତ୍ତି କିମ୍ବା ନିର୍ଦ୍ଦିଷ୍ଟ ନିୟମ ଆସିଲେ ହିଁ ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।