ଡାକ୍ତରୀ ସ୍ବପ୍ନରେ ଅର୍ଥ ସାଜିଛି ବାଧକ
ନନ୍ଦିଘୋଷ ବ୍ୟୁରୋ : ଡାକ୍ତରୀ ସ୍ବପ୍ନରେ ଅର୍ଥ ସାଜିଛି ବାଧକ। ନିଟ୍ ରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ହୋଇପାରୁନି ଆଡମିଶନ । ଅଧାରେ ଅଟକିଛି ଡାକ୍ତର ହେବା ସ୍ବପ୍ନ। କେନ୍ଦୁଝର ଅଳତି ଗାଁ ଆଦିବାସୀ ବସ୍ତିର ଛାତ୍ର ଆଶୁତୋଷ ପ୍ରିୟଦର୍ଶୀ ନାଏକ। ନିଟ ପରୀକ୍ଷାରେ ରାଜ୍ୟ ଏସଟି କୋଟା ରେ ୭୭ ରାଙ୍କରେ ରହି ବ୍ରହ୍ମପୁର MKCGରେ ନାମ ଲେଖାଇବାକୁ ଯୋଗ୍ଯତା ହାସଲ କରିଛନ୍ତି। ଏଥିପାଇଁ ସାହି ବାସିନ୍ଦାଙ୍କ ଖୁସି କହିଲେ ନସରେ। ଆଶୁତୋଶଙ୍କ ବାପା ନିତ୍ଯାନନ୍ଦ ନାଏକ ଏକ ଘରୋଇ କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ଯ କରନ୍ତି। ମାଆ ସଂଞ୍ଜୁଲତା ସିଲେଇ କରି ଯାହା ରୋଜଗାର କରନ୍ତି , ସେତିକିରେ ଘର ଚଳିବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ କଷ୍ଟେମଷ୍ଟେ ଚଳିଯାଏ। ଆର୍ଥିକ ଅନଟନ ଭିତରେ ପୁଅର ମେଡିକାଲ ପାଠପଢା ପାଇଁ ଆଡମିସନ କିଭଳି କରିବେ ଚିନ୍ତାରେ ପରିବାର।
ପିଲା ବେଳୁ ବହୁ ଅଭାବ ଅନଟନରେ ପାଠ ପଢିଥିଲେ ଆଶୁତୋଷ । କଠିନ ପରିଶ୍ରମ ଏବଂ ଦୃଢ ଇଛାଶକ୍ତି ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିବା ଗ୍ରାମବାସୀ କହିଛନ୍ତି । ସେପଟେ ଗାଁରେ ପହଞ୍ଚି ଆଶୁତୋଷଙ୍କୁ ଶୁଭେଛା ଜଣାଇବା ସହ ରେଡ଼କ୍ରସରୁ ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।
ବଣମଲ୍ଲି ବଣରେ ଫୁଟି ଝଡିବା ଭଳି ଅର୍ଥାଭାବ ଯୋଗୁଁ ଜଣେ ମେଧାବୀ ଛାତ୍ରର ଭବିଷ୍ୟତ ଅନ୍ଧାର ହୋଇନଯାଉ। ଏଥିପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।