ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା
ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଗ୍ରାମରେ ଅବାଧ ମଦ ବିକ୍ରି ଯୋଗୁଁ ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶତାଧିକ ମହିଳା ସୁବଳୟା ଥାନା ଘେରାଉ କରିଛନ୍ତି। ମଦ ବିକ୍ରି ତୁରନ୍ତ ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଡୁଙ୍ଗୁରୀ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ମଦ ବିକ୍ରି ଚାଲିଥିବା ବେଳେ ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ମାତ୍ର ଏହାର କୌଣସି ସୁଫଳ ମିଳୁନାହିଁ କିମ୍ବା ମଦ ବେପାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମର ସିଆର୍ପି ଅମୃତୀ ସେଠୀ, ତାଙ୍କ ସ୍ୱାମୀ ସତ୍ୟବାନ ସେଠୀ ଏବଂ ସୁଦାମ ସାହୁ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ମଦ ବିକ୍ରି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ମଧ୍ୟ ମଦ ବିକ୍ରି ହେଉଥିବା ସେମାନେ କହିଛନ୍ତି।
ମଦ୍ୟପମାନେ ମଦ ପିଇ ଗ୍ରାମରେ ଗଣ୍ଡଗୋଳ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଫଳରେ ଗ୍ରାମର ଝିଅ ଓ ବୋହୂମାନେ ଘରୁ ବାହାରିବାକୁ ଅସହଜ ମନେ କରୁଛନ୍ତି। ଏହାଦ୍ୱାରା ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ମହିଳାମାନେ କହିଛନ୍ତି।
ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମର ମହିଳାମାନେ ସମ୍ପୃକ୍ତ ମଦ ବେପାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ଏହାର ପ୍ରତିବାଦରେ ସେମାନଙ୍କୁ ଓଲଟା ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ମହିଳାମାନେ ବାଧ୍ୟ ହୋଇ ସୁବଳୟା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏନେଇ ମହିଳାମାନେ ବୀରମହାରାଜପୁର ଉପଜିଲାପାଳ ଓ ଅବକାରୀ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ତୁରନ୍ତ ବେଆଇନ ମଦ ବିକ୍ରି ବନ୍ଦ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ସୁବଳୟା ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୀବ ବସ୍ତିଆଙ୍କୁ ପଚାରିବାରୁ, ଡୁଙ୍ଗୁରୀ ଗ୍ରାମର ମହିଳାମାନେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଥିବା ସେ କହିଥିଲେ। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।