ଡ୍ରାଇଭିଂ ଲାଇସେନ୍ସ କରାଉଥିଲେ ଜାଣନ୍ତୁ, ବଦଳିବ ନିୟମ; ଏଣିକି…
ନୂଆଦିଲ୍ଲୀ, ୨୬।୧୦: ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH)। ସେଣ୍ଟ୍ରାଲ ମୋଟର ଭେଇକିଲ୍ସ ରୁଲ୍ସରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ କରାଇବା ପ୍ରକ୍ରିୟାକୁ ସହଜ କରିବା, ସଡ଼କ ସୁରକ୍ଷା ବଢ଼ାଇବା ଏବଂ ଜାଲିଆତି ରୋକିବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ।
ଆପଣ ଯଦି ନୂଆ ଡ୍ରାଇଭିଂ ଲାଇସେନ୍ସ କରାଇବାକୁ ଚାହୁଁଛନ୍ତି କିମ୍ବା ପୁରୁଣା ଲାଇସେନ୍ସରେ କିଛି ସଂଶୋଧନ କରିବାକୁ ଯୋଜନା କରୁଛନ୍ତି, ତେବେ ସରକାର କେଉଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି ଜାଣି ରଖନ୍ତୁ।
ପ୍ରସ୍ତାବ ଅନୁଯାୟୀ, ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କିମ୍ବା ନବୀକରଣ କରାଯାଉଥିବା ଡ୍ରାଇଭିଂ ଲାଇସେନ୍ସ ଏଣିକି ଲାମିନେଟେଡ କିମ୍ବା ପିଭିସି କାର୍ଡ (ଫର୍ମ-୭) ଆକାରରେ ରହିବ। ଏହି ପ୍ରସ୍ତାବର ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, ଭାରତୀୟ ନାଗରିକ ଓ ବିଦେଶୀ ନାଗରିକଙ୍କ ପାଇଁ ଅଲଗା ଅଲଗା ରଙ୍ଗ ଏବଂ ଫର୍ମାଟ ନିର୍ଦ୍ଧାରଣ କରାଯିବ।
ନୂଆ ନିୟମ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସରେ ଏଣିକି କିଛି ଜରୁରୀ ସୂଚନା ମଧ୍ୟ ଛପାଯିବ। ଏଥିରେ ଲାଇସେନ୍ସଧାରୀଙ୍କ ରକ୍ତ ଗୋଷ୍ଠୀ, ମୋବାଇଲ ନମ୍ବର ଏବଂ ଜରୁରୀକାଳୀନ ଯୋଗାଯୋଗ ନମ୍ବର ରହିବ। ଏହାଦ୍ୱାରା ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତିରେ ଆହତ ବ୍ୟକ୍ତିଙ୍କ ପରିଚୟ ଜାଣିବା ସହ ତାଙ୍କ ପରିବାରକୁ ତୁରନ୍ତ ସୂଚନା ଦେବା ସହଜ ହେବ।
ଏପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପାଇଁ ବୟସ ଓ ଠିକଣାର ପ୍ରମାଣ ଭାବେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କିମ୍ବା ନୋଟାରୀଙ୍କଠାରୁ ଶପଥପତ୍ର (ଆଫିଡେଭିଟ) କରାଇବାକୁ ପଡ଼ୁଥିଲା। ଏହି ବ୍ୟବସ୍ଥାକୁ ହଟାଇବା ପାଇଁ ଏବେ ପ୍ରସ୍ତାବ ରହିଛି। ଏହା ବଦଳରେ ଆଧାର କାର୍ଡ, ପାସପୋର୍ଟ, ଭୋଟର ଆଇଡି, ଇ-ରାସନ କାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ଭଳି ଦସ୍ତାବିଜକୁ ମାନ୍ୟତା ଦିଆଯିବ।
ଏହାଦ୍ୱାରା ଜାଲ ଦସ୍ତାବିଜ ବ୍ୟବହାର ଉପରେ ରୋକ ଲଗାଇବା
ସହ କାଗଜପତ୍ର ସମ୍ବନ୍ଧୀୟ ପ୍ରକ୍ରିୟାକୁ ସରଳ କରାଯାଇପାରିବ। ସୁରକ୍ଷିତ ଡ୍ରାଇଭିଂକୁ ପ୍ରୋତ୍ସାହନ ଦେବା ପାଇଁ ଟେଷ୍ଟ ସମ୍ବନ୍ଧୀୟ ନିୟମକୁ ମଧ୍ୟ କଡ଼ା କରିବାକୁ ପ୍ରସ୍ତାବ ରହିଛି। ସେଫ ଡ୍ରାଇଭିଂ ଟ୍ୟୁଟୋରିଆଲ ସହ ଜଡ଼ିତ ମୂଲ୍ୟାୟନରେ ପାସ କରିବା ପାଇଁ ସର୍ବନିମ୍ନ ନମ୍ବରକୁ ୬୦ ପ୍ରତିଶତରୁ ବଢ଼ାଇ ୭୫ ପ୍ରତିଶତ କରାଯିବ।
ଏହା ସହିତ ଟ୍ୟୁଟୋରିଆଲ ଭିଡିଓ କିମ୍ବା କ୍ଲାସ୍କୁ ଅତି କମରେ ୩୦ ମିନିଟ ପର୍ଯ୍ୟନ୍ତ ଦେଖିବା ବା ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ହେବ। ଏହି ପରିବର୍ତ୍ତନ ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସ ପାଇବା ପୂର୍ବରୁ ଆବେଦନକାରୀଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ଓ ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।