ତିନି ବର୍ଷର ବ୍ୟବଧାନ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍
ନୂଆଦିଲ୍ଲୀ: ତିନି ବର୍ଷର ବ୍ୟବଧାନ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମିନି ନିଲାମ ଭାରତରେ ଆୟୋଜିତ ହେବ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଭାରତରେ ଆଗାମୀ ମିନି ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ନିଲାମର ତାରିଖ ଓ ସହର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।କୋଚିରେ ୨୦୨୩ ମସିହାର ନିଲାମ ପରେ ଲଗାତାର ତିନି ବର୍ଷ ବିଦେଶରେ ଆଇପିଏଲ୍ ନିଲାମ ଆୟୋଜିତ ହୋଇଥିଲା। ୨୦୨୪ରେ ଦୁବାଇ, ୨୦୨୫ରେ ଜେଦ୍ଦା ଏବଂ ୨୦୨୬ରେ ଆବୁଧାବି ନିଲାମର ଆୟୋଜକ ହୋଇଥିଲେ। ଭାରତରେ ନିଲାମ ଆୟୋଜନ କରିବା ନିଷ୍ପତ୍ତି ପଛରେ ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକର ମତାମତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିବା ଜଣାପଡ଼ିଛି। ବିଦେଶରେ ନିଲାମ ଆୟୋଜନ କରାଯିବା ଫଳରେ ଦଳଗୁଡ଼ିକୁ ନିଜ ପ୍ରତିନିଧିମାନଙ୍କ ଯାତାୟାତ, ରହଣି ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ବ୍ୟବସ୍ଥା ପାଇଁ ଅତିରିକ୍ତ ପ୍ରସ୍ତୁତି କରିବାକୁ ପଡ଼ୁଥିଲା।
ଗତବର୍ଷ ଆବୁଧାବିରେ ହୋଇଥିବା ନିଲାମ ସମୟରେ ମଧ୍ୟ ଫ୍ରାଞ୍ଚାଇଜିଗୁଡ଼ିକ ଏହି ସମସ୍ୟା ଉଠାଇଥିଲେ। ଏହା ପରେ ଚଳିତ ବର୍ଷର ମିନି ନିଲାମ ପାଇଁ ଭାରତରେ ସ୍ଥାନ ଚୟନ କରିବା ଦିଗରେ ଗଭର୍ଣ୍ଣିଂ କାଉନସିଲ୍ ଆଗେଇଛି।ତେବେ ସ୍ଥାନ ଚୟନ ସମୟରେ ହୋଟେଲ୍ ଉପଲବ୍ଧତା ଏକ ବଡ଼ ଚ୍ୟାଲେଞ୍ଜ ହେବ। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ବିବାହ ଋତୁ ଚାଲୁଥିବାରୁ ୫-ତାରକା ହୋଟେଲ୍ରେ ପର୍ଯ୍ୟାପ୍ତ କୋଠରୀ ମିଳିବା ଉପରେ ବିସିସିଆଇ ଗୁରୁତ୍ୱ ଦେବ। ନିଲାମ ପାଇଁ ଦୁଇ ରାତି ନିମନ୍ତେ ୧୦୦ରୁ ଅଧିକ କୋଠରୀ ଆବଶ୍ୟକ ହେବ ବୋଲି ସୂଚନା ରହିଛି। ୨୦୨୭ରେ ଆଇପିଏଲ୍ ମିନି ନିଲାମ ହେବାକୁ ଥିବାବେଳେ ୨୦୨୮ରେ ମେଗା ନିଲାମ ହେବାର ସମ୍ଭାବନା ରହିଛି। ମିନି ନିଲାମ ସାଧାରଣତଃ ଡିସେମ୍ବରରେ ଆୟୋଜିତ ହୋଇଥାଏ। ଅନ୍ୟପକ୍ଷରେ, ୨୦୨୮ର ମେଗା ନିଲାମ ପୁଣିଥରେ ବିଦେଶରେ ଆୟୋଜିତ ହେବା ନେଇ ସମ୍ଭାବନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।