ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ
କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ ଶ୍ରୀଲଙ୍କା ତୃତୀୟ ଦିନର ଶେଷ ସୁଦ୍ଧା ୮ ଉଇକେଟ ହରାଇ ୨୬୫ ରନ୍ କରିଛି। ମ୍ୟାଚ୍ରେ ଆହୁରି ୨ ଦିନ ଥିବା ବେଳେ ଶ୍ରୀଲଙ୍କାକୁ ଫଲୋ-ଅନ୍ ଏଡ଼ାଇବା ପାଇଁ ୩୮ ରନ୍ ଦରକାର। ଷ୍ଟମ୍ପ୍ସ ବେଳକୁ ସୋନାଲ ଦିନୁଶା ୮୫ ଓ ଲାହିରୁ କୁମାରା ୮ ରନ୍କରି ଅପରାଜିତ ରହିଛନ୍ତି।
ଏହି ମ୍ୟାଚ୍ରେ ଦିନୁଶା ବିଶ୍ୱର ତୃତୀୟ ବ୍ୟାଟର ଭାବେ କ୍ୟାରିୟରର ପ୍ରଥମ ୩ ଟେଷ୍ଟ ଇନିଂସ୍ରେ ୮୦ରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି। ମ୍ୟାଚ୍ର ପ୍ରଥମ ଦିନ ଆଉଟ୍ ହେବା ପରେ ବ୍ୟାଟ୍ରେ ବାଉଣ୍ଡ୍ରି ଓ୍ବେଜ୍ସକୁ ମାରିଥିବା ପ୍ରବଥ ଜୟସୁରିୟାଙ୍କୁ ଆଇସିସି ପକ୍ଷରୁ ଭର୍ତ୍ସନା କରାଯିବା ସହ ତାଙ୍କ ଶୃଙ୍ଖଳା ରେକର୍ଡରେ ଏକ ଡିମେରିଟ୍ ପଏଣ୍ଟ ଯୋଡ଼ାଯାଇଛି।
ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସ୍ ସ୍କୋର ୮/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା କମିଲ ମିଶରା(୧୯) ଶୀଘ୍ର ଆଉଟ୍ ହୋଇଥିଲେ। ଗାଲେ ଟେଷ୍ଟରେ କନକ୍ଶନ ସବ୍ଷ୍ଟିଚ୍ୟୁଟ୍ ଭାବେ ପଦାର୍ପଣ କରିଥିବା ପସିନ୍ଦୁ ସୂରିୟାବାନ୍ଦରା(୮୦ ରନ୍, ୯ ଚୌକା) ଓ କାମିଣ୍ଡୁ ମେଣ୍ଡିସ୍ (୩୨) ଚତୁର୍ଥ ଉଇକେଟରେ ୮୭ ରନ୍ ଯୋଡ଼ି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଭାରତୀୟ ପେସର ପ୍ରସିଦ୍ଧ କ୍ରିଷ୍ଣା ଏହି ଯୋଡ଼ି ଭଙ୍ଗ କରିବା ପରେ ଶ୍ରୀଲଙ୍କା କ୍ରମାଗତ ବ୍ୟବଧାନରେ ୪ ଉଇକେଟ ହରାଇଥିଲା। ଏକଦା ୧୨୨/୩ ସ୍କୋର କରିଥିବା ଶ୍ରୀଲଙ୍କା ୧୭୩ ରନ୍ରେ ୭ ଉଇକେଟ ହରାଇ ଶୀଘ୍ର ଅଲ୍ଆଉଟ୍ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ଦିନୁଶା କେଶରା ନୁଓ୍ବାନ୍ଥା(୧୮)ଙ୍କ ସହ ମିଶି ଅଷ୍ଟମ ଉଇକେଟରେ ପ୍ରାୟ ୨୩ ଓଭର ବ୍ୟାଟିଂକରି ୫୭ ରନ୍ ଯୋଡ଼ିଥିଲେ। ଏହାପରେ ଦିନୁଶାଙ୍କ ସହ ଲାହିରୁ କୁମାରା ମିଶି ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ସହ ଭାରତୀୟ ବୋଲରଙ୍କୁ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲେ। ବର୍ଷା କାରଣରୁ ଧାର୍ଯ୍ୟ ସମୟ ପୂର୍ବରୁ ଷ୍ଟମ୍ପ୍ସ ଘୋଷଣା କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।