ଦକ୍ଷିଣ ଆଫ୍ରିକା ଦଳରେ ୟାନ୍ସେନଙ୍କ ଯାଆଁଳା ଭାଇ
ଜୋହାନସବର୍ଗ : ଆସନ୍ତାବର୍ଷ ଦିନିକିଆ ବିଶ୍ବକପ୍ର ତିନି ସହ ଆୟୋଜକ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟା ମଧ୍ୟରେ ଏକ ତ୍ରିରାଷ୍ଟ୍ରୀୟ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳାଯିବ। ଅଗଷ୍ଟ ୨୮ରୁ ଏହି ତ୍ରିରାଷ୍ଟ୍ରୀୟ ନାମିବ୍ୟାର ୱିଣ୍ଡ୍ହୁକ୍ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ବାମହାତି ସ୍ପିନର ବ୍ୟୋନ୍ ଫର୍ଟୱିନ୍ ଦଳର ନେତୃତ୍ବ ନେବେ। ଉଲ୍ଲେଖନୀୟ କଥା ହେଉଛି ଦଳରେ ଦକ୍ଷିଣ ଆଫ୍ରିକାର ଖ୍ୟାତନାମା ଅଲ୍ରାଉଣ୍ଡର ମାର୍କୋ ୟାନ୍ସେନଙ୍କ ଯାଅଁାଳା ଭାଇ ଡୁଆନ୍ଙ୍କୁ ସାମିଲ କରାଯାଇଛି। ଦୁଇ ଭାଇଙ୍କ ଚେହେରା କେବଳ ଏକା ପରି ନୁହେଁ। ମାର୍କୋଙ୍କ ପରି ଡୁଆନ୍ ୟାନ୍ସେନ ମଧ୍ୟ ଜଣେ ବାମହାତି ପେସ୍ ବୋଲର ଓ ତଳ ଅର୍ଡରରେ ଉପଯୋଗୀ ବ୍ୟାଟର। ଡୁଆନ୍ ଗତବର୍ଷ ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟ୍ରେ ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର ପୁରସ୍କାର ପାଇଥିଲେ। ଏହାସହ ଡୁଆନ୍ ୟାନ୍ସେନ ବିଶ୍ବର ଅଧିକାଂଶ ଫ୍ରାଞ୍ଚାଇଜିଭିତ୍ତିକ ଲିଗ୍ରେ ଖେଳିଥାଆନ୍ତି। ସେ ୨୦୨୩ ଆଇପିଏଲ୍ରେ ମୁମ୍ବଇ ଇଣ୍ଡିଆନ୍ସରେ ସାମିଲ ହୋଇ ଗୋଟିଏ ମ୍ୟାଚ୍ ଖେଳିଥିଲେ। ପ୍ରଥମଶ୍ରେଣୀ କ୍ରିକେଟ୍ରେ ଡୁଆନ୍ ୟାନ୍ସେନ ୨୯ଟି ମ୍ୟାଚ୍ରୁ ୭୪ଟି ୱିକେଟ୍ ନେବା ସହ ୮୧୦ ରନ୍ କରିଛନ୍ତି। ସେ ୩୫ଟି ଲିଷ୍ଟ-ଏ ମ୍ୟାଚ୍ରୁ ୪୫ଟି ୱିକେଟ୍ ନେଇ ୪୦୯ ରନ୍ ଏବଂ ୫୭ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ୬୪ଟି ୱିକେଟ୍ ନେବା ସହ ୩୯୬ ରନ୍ କରିଛନ୍ତି। ତ୍ରିରାଷ୍ଟୀୟ ପାଇଁ ଘୋଷିତ ଦଳରେ ମାର୍କୋ ୟାନ୍ସେନଙ୍କୁ ସ୍ଥାନ ମିଳି ନଥିବାରୁ ଦୁଇ ଯାଅଁାଳା ଭାଇଙ୍କୁ ଏକାଠି ଖେଳିବା ଦେଖିବାକୁ ମିଳିବ ନାହିଁ। କେବଳ ଏତିକି ନୁହେଁ; ଦକ୍ଷିଣ ଆଫ୍ରିକା ଦଳରେ ଆନ୍ତର୍ଜାତିକ କ୍ରିକେଟ୍ ଖେଳିଥିବା ଅଲ୍ରାଉଣ୍ଡର କର୍ବିନ୍ ବସ୍ଙ୍କ ଭାଇ ଏଥାନ୍ ବସ୍ ଏବଂ ଦେଶ ପାଇଁ ଦିନିକିଆ ଓ ଟି୨୦ ଖେଳିଥିବା ରୁବିନ୍ ହର୍ମାନ୍ଙ୍କ ଭାଇ ଜୋର୍ଡାନ ହର୍ମାନ୍ ସ୍ଥାନ ପାଇଛନ୍ତି। ଏଥାନ୍ ବସ୍ ଓ ଜୋର୍ଡାନ ହର୍ମାନ୍ ଦକ୍ଷିଣ ଆଫ୍ରିକା ପାଇଁ ଯଥାକ୍ରମେ ଗୋଟିଏ ଲେଖାଏଁ ଟ୍ବେଣ୍ଟି୨୦ ଓ ଦିନିକିଆ ମ୍ୟାଚ୍ ଖେଳିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।