ଦଶପଲ୍ଲାରେ ଚାଞ୍ଚଲ୍ୟ: ୩ ଦିନ ଧରି ନିଖୋଜ ବିରଞ୍ଚିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର, ଘଟଣାସ୍ଥଳରେ…
ନୟାଗଡ଼,୧।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ଟାକରା ପଞ୍ଚାୟତ ଅସନିବେରେଣା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୩ ଦିନ ଧରି ନିଖୋଜ ଥିବା ବିରଞ୍ଚି ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ମାଟି ତଳୁ ଉଦ୍ଧାର କରାଯାଇଛି। ବିରଞ୍ଚିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ମୃତଦେହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମାଟି ତଳେ ପୋତି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ବିରଞ୍ଚି ଗତ ୩ ଦିନ ହେଲା ନିଖୋଜ ଥିଲେ। ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳି ନ ଥିଲା। ତେବେ ରବିବାର କୁଟିବାରୀ ନିକଟସ୍ଥ ଡବାଖୋଲର ଏକ ପରିତ୍ୟକ୍ତ ସ୍ଥାନରେ ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା।
ଏହି ସମ୍ପର୍କରେ ଖବର ପାଇ ଦଶପଲ୍ଲା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଏବଂ ପୋଲିସ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ତ୍ରାଣବିତ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।