ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

Sep 09, 2026 - 20:25
ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି ସଭାଗୃହରେ ବୁଧବାର ବ୍ଲକସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ସୋସିଆଲ ଓ୍ବାର୍କର୍ସ ଆସୋସିଏଶନ ଅଫ୍‌ କନ୍ଧମାଳ (ସ୍ବାକ)ର ସଭାପତି ଆମନ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ବୈଠକରେ ସାମାଜିକ କର୍ମୀ, ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି,ବୁଦ୍ଧିଜୀବୀ, ଜନପ୍ରତିନିଧି ଯୋଗଦେଇଥିଲେ। ସ୍ବାକ୍‌ର ସମ୍ପାଦକ ହୃଷୀକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଦାଦନ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।ବୈଠକ ଆରମ୍ଭରେ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁବରଣ କରିଥିବା ୧୧ ଜଣ ଶ୍ରମିକଙ୍କ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।
ଆଲୋଚନାରେ କୁହାଯାଇଥିଲା ଯେ, କନ୍ଧମାଳର ଅନେକ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗର ଅଭାବ ଯୋଗୁ ପ୍ରତିବର୍ଷ ଶହଶହ ଶ୍ରମିକ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି। ଦଲାଲଙ୍କ ମାଧ୍ୟମରେ ପ୍ରବାସ କରୁଥିବା ଅନେକ ଶ୍ରମିକ ଠକେଇ, ନିର୍ଯାତନା, ଦୁର୍ଘଟଣା ଓ ଅନ୍ୟାନ୍ୟ ସମସ୍ୟାର ଶିକାର ହେଉଛନ୍ତି। ତେଣୁ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଜୀବିକାର ସୁଯୋଗ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ‘ଏକ ଜିଲା, ଏକ ସଙ୍କଳ୍ପ’ ନୀତି ଆଧାରରେ କନ୍ଧମାଳର ପ୍ରାକୃତିକ ଓ ମାନବ ସମ୍ବଳର ସଠିକ ଉପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ନେଇ ବିଭିନ୍ନ ମତ ପ୍ରକାଶ ପାଇଥିଲା।
ବୈଠକରେ ଦାରିଙ୍ଗବାଡ଼ି ଅଞ୍ଚଳର ହଳଦୀ ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ହଳଦୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଥିଲେ ମଧ୍ୟ ଚାଷୀମାନେ ଉତ୍ପାଦର ଉଚିତ୍‌ ମୂଲ୍ୟ ପାଉନଥିବା ନେଇ ଅଭିଯୋଗ ହୋଇଥିଲା। ହଳଦୀ ପାଇଁ ନିୟମିତ ମଣ୍ଡି ବ୍ୟବସ୍ଥା ଓ ଉଚିତ୍‌ ବଜାର ସଂଯୋଗ କରାଗଲେ ଚାଷୀମାନେ ଉତ୍ପାଦର ଉଚିତ୍‌ ମୂଲ୍ୟ ପାଇପାରିବେ ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ଜଙ୍ଗଲଜାତ ଦ୍ରବ୍ୟ, ଅଁଳା, ପଣସ, ମାଣ୍ଡିଆ, ବିରି, ବିଭିନ୍ନ ମସଲାଜାତୀୟ ଫସଲ ଓ କୁଟୀର ଶିଳ୍ପର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଏବଂ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ସମ୍ବଳକୁ ଆଧାର କରି ଛୋଟ ଓ ମଧ୍ୟମ ଉଦ୍ୟୋଗ ଗଢ଼ି ତୋଳିବା ମାଧ୍ୟମରେ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ପ୍ରଦାନ, ଗ୍ରାମ ବିକାଶ, ଅନ୍ତରଙ୍ଗ, ନାରୀ ମହାସଂଘର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ ଓ ପୂର୍ବତନ ସରପଞ୍ଚମାନେ ଯୋଗଦେଇଥିଲେ। ସ୍ବାକ୍‌ର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସଦସ୍ୟା ମିନାକ୍ଷୀ ପ୍ରଧାନ, ବିବେକାନନ୍ଦ ପ୍ରଧାନଙ୍କ ସମେତ ଜାଗୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବୈଠକ ଶେଷ ରେ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତେ ଦାରିଙ୍ଗବାଡ଼ିର ପିଲା ଦାରିଙ୍ଗବାଡ଼ିରେ ରୋଜଗାର ପାଉ ବୋଲି ସଂକଳ୍ପ ନେଇ ସ୍ଥାନୀୟ ସମ୍ବଳର ସଦୁପଯୋଗ ମାଧ୍ୟମରେ ସ୍ବାବଲମ୍ବୀ, ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ଗଠନ ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ଶପଥ ନେଇଥିଲେ।

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।