ଦାନଗଦି ବିଜେଡି ପକ୍ଷରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବଣ୍ଟନ ନିୟମରେ ସଂଶୋଧନକୁ ବିରୋଧ
ଯାଜପୁର, ୨୪/୧୦ (ନି.ପ୍ର):ଖଣି ପ୍ରଭାବିତ ଅଞ୍ଚଳ ଓ ସେଠାକାର ଅଧିବାସୀଙ୍କ ବିକାଶ ଉଦ୍ଦେଶ୍ୟରେ ଆଦାୟ ହେଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବଣ୍ଟନକୁ ନେଇ ଦାନଗଦୀ ଓ ସୁକିନ୍ଦା ବ୍ଲକ୍ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟର ବିଜେପି ସରକାର ୨୦୨୪ ମସିହାରେ ପ୍ରଚଳିତ ଆଇନରେ କିଛି ସଂଶୋଧନ କରି ନୂଆ ଖଣି ପ୍ରଭାବିତ ଅଞ୍ଚଳ ସର୍ଭେ କରୁଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି।
ସୂଚନା ଅନୁଯାୟୀ, ସୁକିନ୍ଦା କ୍ରୋମ ଉପତ୍ୟକାରେ କାର୍ଯ୍ୟକ୍ଷମ ଟାଟା ଷ୍ଟିଲ୍, ଓଏମ୍ସି, ଫେକର, ବାଲେଶ୍ୱର ଆଲଏଜ୍ ଏବଂ ଇମ୍ଫା ଭଳି ୧୦ଟି ଖଣି ଅଞ୍ଚଳର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବିତ ଗ୍ରାମର ତାଲିକା ପ୍ରସ୍ତୁତ ହୋଇଛି। ତେବେ ଏହି ତାଲିକାରେ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ପ୍ରାୟ ୭୦ଟି ଗ୍ରାମ ଏବଂ କେନ୍ଦୁଝର ଜିଲ୍ଲାର କିଛି ଅଞ୍ଚଳକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଯଦି ଅନ୍ୟ ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ ହୁଏ, ତେବେ ଖଣି ଖନନ ଯୋଗୁଁ ଜମି, ଜଳ, ଜଙ୍ଗଲ ହରାଇଥିବା ଏବଂ ଜଳ, ବାୟୁ ପ୍ରଦୂଷଣ ତଥା ରୋଗବ୍ୟାଧିର ଶିକାର ହେଉଥିବା ସୁକିନ୍ଦା କ୍ରୋମ ଉପତ୍ୟକାବାସୀଙ୍କୁ ନ୍ୟାୟ କିପରି ମିଳିବ ବୋଲି ପ୍ରଶ୍ନ ଉଠିଛି। ଏହାଦ୍ୱାରା ଦାନଗଦୀ ବ୍ଲକ୍ର ଉନ୍ନୟନ କାର୍ଯ୍ୟ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।
ଗତ ବିଜେଡି ସରକାର ଅମଳରେ ଯାଜପୁର ଜିଲ୍ଲାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଅଧିକାଂଶ ଅର୍ଥ ସୁକିନ୍ଦା ଓ ଦାନଗଦୀ ବ୍ଲକ୍ରେ ଖର୍ଚ୍ଚ ହେଉଥିବା ବେଳେ, ବର୍ତ୍ତମାନର ସରକାରଙ୍କ ଏହି ନୂତନ ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ ପାଇଛି। ଖଣି ଅଞ୍ଚଳବାସୀଙ୍କ ପ୍ରତି ଅନ୍ୟାୟ ହେଉଥିବା ବେଳେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ନୀରବତାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜନପ୍ରତିନିଧି ହିସାବରେ ନିଜ ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି।
ସୁକିନ୍ଦା କ୍ରୋମ ଉପତ୍ୟକାର ସମସ୍ତ ଗ୍ରାମ ଏବଂ ଖଣି ଯୋଗୁଁ ପ୍ରଭାବିତ ସୁକିନ୍ଦା ଓ ଦାନଗଦୀ ବ୍ଲକ୍ର ସମସ୍ତ ଗ୍ରାମକୁ ଏଥିରେ ସାମିଲ କରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥର ସିଂହଭାଗ ଏଠାରେ ଖର୍ଚ୍ଚ କରିବାକୁ ଦାବି ହୋଇଛି। ଯଦି ଏହି ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଦାନଗଦୀ ବ୍ଲକ୍ବାସୀ ଏକ ବିରାଟ ଜନଆନ୍ଦୋଳନକୁ ଓହ୍ଲାଇବା ସହ ଦୁର୍ବାର ସଂଗ୍ରାମ ଜାରି ରଖିବେ ବୋଲି ଚେତାବନୀ ଦିଆଯାଇଛି।
ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦାନଗଦୀ ବ୍ଲକ୍ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଜିଲ୍ଲା ଉପସଭାପତି ଲୋକନାଥ ଧୀର,ବରିଷ୍ଠ ନେତା ପ୍ରଦୀପ ମହାନ୍ତି,ବ୍ଲକ୍ ସଭାପତି ଗୋପାଳ ଚନ୍ଦ୍ର ବାରିକ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଧୀର, ୯ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ଟିନା ହାଇବୃ, ତ୍ରିଜଙ୍ଗା ସରପଞ୍ଚ କାଗଜି ପାତ୍ର, ରାଣିପଡ଼ା ସରପଞ୍ଚ ଜିତାଞ୍ଜଳି ବେହେରା,ନଡ଼ିଆଭଙ୍ଗା ପଞ୍ଚାୟତର ସମିତି ସଭ୍ୟ ବାଲେମା ତିୟୁ,ରଣାଗୁଣ୍ଡି ସମିତି ସଭ୍ୟ ପ୍ରସନ୍ନ ଉତ୍ତର କବାଟ, ମାନତିରା ସମିତିସଭ୍ୟା ଜୟନ୍ତୀ ମଲ୍ଲିକ,ତ୍ରିଜଙ୍ଗା ସମିତି ସଭ୍ୟ ସସ୍ମିତା ପାତ୍ରଙ୍କ ସମେତ ବ୍ଲକ୍ର ଆଗଧାଡିର ନେତା ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।