ଦିଗପହଣ୍ଡି ଠାକୁରାଣୀ ଯାତ୍ରା: ମା’ ଘରେ ପୂଜା ପାଇଲେ ବୁଢ଼ୀ ଠାକୁରାଣୀ, ଭଉଣୀ ଫୁଲସୁନ୍ଦରୀଙ୍କ ସହ ହେଲା ଭେଟ

Oct 22, 2026 - 19:56
ଦିଗପହଣ୍ଡି ଠାକୁରାଣୀ ଯାତ୍ରା: ମା’ ଘରେ ପୂଜା ପାଇଲେ ବୁଢ଼ୀ ଠାକୁରାଣୀ, ଭଉଣୀ ଫୁଲସୁନ୍ଦରୀଙ୍କ ସହ ହେଲା ଭେଟ

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବର ଷଷ୍ଠ ଦିବସ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଆଶ୍ୱିନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ମା’ଙ୍କ ସାନ୍ଧ୍ୟ ଆଳତି, ସେବା ପୂଜା ଓ ମଣୋହି ନୀତି ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ରଙ୍କ ଆଳତି ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମାଙ୍କ ଦ୍ୱାରା ଆବାହନ ଓ ଆଜ୍ଞାମାଳ ନେଇ ପାର୍ଶ୍ଵ ଘଟଧାରୀ ମହିଳାମାନେ ଘଟ ଉଠାଇଥିଲେ। ଏହାପରେ ବାଦ୍ୟ ବାଜଣାର ତାଳେ ତାଳେ ମା’ ସାଆନ୍ତାଣୀ ଝୁଲି ଝୁଲି ଯାତ୍ରାପୀଠରୁ ବାହାରି ଜନତାଲେନ୍, ଧୋବା ସାହି, ଆଠଗଡିଆ ସାହି ଦେଇ ସହରର ସର୍ବପୁରାତନ ବସ୍ତି ଗଡ଼ ଚୈତନ୍ୟପୁର ଶାସନ ସାହିରେ ପହଞ୍ଚିଥିଲେ। ସେଠାରେ ଦୁର୍ଗାପୂଜା କମିଟି ପକ୍ଷରୁ ମା’ଙ୍କୁ ନିମନ୍ତ୍ରଣ କରାଯାଇ ଦୁର୍ଗା ମଣ୍ଡପରେ ମା’ ବୁଢ଼ୀ ଠାକୁରାଣୀ ଓ ମା’ ଦୁର୍ଗାଙ୍କ ଭେଟ ପୂଜା ନୀତିକାନ୍ତି ଅନୁଯାୟୀ କରାଯାଇଥିଲା।

ପରବର୍ତ୍ତୀ ସମୟରେ ଶାଶୁଘରୁ ମାଆଘରକୁ ବୁଲି ଆସିଥିବା ବୁଢ଼ୀ ଠାକୁରାଣୀ ସେବାୟତମାନଙ୍କ ଚିକିଟିଆ ସାହିସ୍ଥିତ ବାସଭବନକୁ ବିଜେ କରିଥିଲେ। ସେଠାରେ ଖିରି, କାକରା, ପିଠା-ପଣା ଭୋଗ ଖାଇବା ପରେ ସାହିର ସ୍ୱର୍ଗତ ନଟବର ମିଶ୍ରଙ୍କ ଘର ସମ୍ମୁଖରେ ପୂଜା ପାଉଥିବା ଭଉଣୀ ମା’ ଫୁଲସୁନ୍ଦରୀଙ୍କ ମଣ୍ଡପରେ ବିଜେ ହୋଇ ପୂଜାର୍ଚ୍ଚନା ଗ୍ରହଣ କରିଥିଲେ। ଯାତ୍ରା ଅବସରରେ ଦିନସାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳେ ନାଟ୍ୟ ନିର୍ଦ୍ଦେଶକ ଯୁଧିଷ୍ଠିର ନାହାକଙ୍କ ନିର୍ଦ୍ଦେଶନାରେ ପୁଟବଗଡ଼ ଗ୍ରାମର ପୌରାଣିକ ନାଟକ ‘ରାଧାପ୍ରେମ ଲୀଳା (ରାଧାଙ୍କ ମାନ ଭଞ୍ଜନ)’ ପରିବେଷଣ କରାଯାଇଥିବା ବେଳେ ସନ୍ଧ୍ୟାରେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ଅନୁଷ୍ଠାନର ସମ୍ପାଦକ ଆଲୋକ ବିଷୋୟୀଙ୍କ ସଂଯୋଜନାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତିରେ ବ୍ରହ୍ମପୁର ଗୋସାଇଁନୂଆଗାଁ ମା’ କାଳୁଆ ନାଟ୍ୟ କଳାକାର ସଂଘ ଦ୍ୱାରା ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଏନ୍. ରାମବାବୁଙ୍କ ନିର୍ଦ୍ଦେଶିତ ଅପେରା ‘ତୁ ବଦଳି ଗଲୁ ମୁଁ ସେମିତି ଅଛି’ ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟି, ଯାତ୍ରା ସଦସ୍ୟ ଓ ପୋଲିସ ବାହିନୀର ପ୍ରତ୍ୟକ୍ଷ ସହଯୋଗରେ ସମସ୍ତ ଶୋଭାଯାତ୍ରା ଓ ଭିଡ଼ ନିୟନ୍ତ୍ରଣ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।