ଦିଗପହଣ୍ଡିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍ ମାମଲା: ୨ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମର ସନ୍ତୋଷ ସେଠୀ ଓରଫ କେଳା(୩୪) ଏବଂ ଜିତେନ୍ଦ୍ର ଗୌଡ଼ ଓରଫ ଜିତୁ (୩୭)ଙ୍କୁ ପୋଲିସ ସୋମବାର ଗିରଫ କରି ବ୍ରହ୍ମପୁର ଏସଡିଜେଏମ କୋର୍ଟକୁ ଚାଲାଣ କରିଛି ।ମାମଲା ନଂ.୪୫୨/୨୬ ବିଏନ୍ଏସ ର ଦଫା -୧୨୬(୨)/୧୧୮(୧)/୧୧୮(୨)/୨୯୬/୧୧୫(୨)/୩୦୩(୨)/୧୦୯/୧୯୦/୧୯୧(୩)/୧୯୧(୨)/୧୧୭(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ, ନୂଆ ଅନନ୍ତେଇ ଗ୍ରାମର ଜଗନ୍ନାଥ ଗୌଡ଼ ଗତ ଶନିବାର ରାତି ପ୍ରାୟ ସାଢେ ୮ ଟାରେ ଘରେ ରାତ୍ରି ଭୋଜନ ସାରି ତାଙ୍କ ସାଙ୍ଗ ପ୍ରଭାକର ଗୌଡ଼ଙ୍କ ସହ ଶାଳକ ଘରକୁ ସ୍କୁଟିରେ ଯାଉଥିଲେ । ଏହି ସମୟରେ ଗ୍ରାମ ନିକଟ ପଞ୍ଚପୁଟିଆ ଛକ ନିକଟରେ ପୂର୍ବ ଯୋଜନା ପ୍ରକାରେ ଗ୍ରାମର ତ୍ରିପତି ଗୌଡ଼ ଏକ ବାଇକରେ ଦ୍ରୁତଗତିରେ ଆସି ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲେ।ଜଗନ୍ନାଥ ଏବଂ ତାଙ୍କ ସାଙ୍ଗ ପ୍ରଭାକର ତଳେ ପଡିଯିବାରୁ ପୂର୍ବରୁ ସେଠାରେ ବିଭିନ୍ନ ମାରଣାସ୍ତ୍ର ଧରି ଉପସ୍ଥିତ ଥିବା ପ୍ରାୟ ୬ ଜଣ ଜଗନ୍ନାଥଙ୍କୁ ହତ୍ୟା ଉଦ୍ଦେଶ୍ୟରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପରେ ଜଣେ ଅଭିଯୁକ୍ତ ତାଙ୍କ ସ୍କୁଟି ନେଇଯିବା ସହ ଅନ୍ୟ ଅଭିଯୁକ୍ତମାନେ ତାଙ୍କ ପକେଟରୁ ୨ ଲକ୍ଷ ଟଙ୍କା, ସୁନା ଚେନ ଏବଂ ମୁଦି ଜବରଦସ୍ତ ଛଡାଇ ନେଇଯାଇଥିଲେ। ମାଡ଼ ଭୟରେ ଜଗନ୍ନାଥଙ୍କ ସାଙ୍ଗ ପ୍ରଭାକର ପ୍ରାଣ ବିକଳରେ ଦୌଡ଼ି ଯାଇ ଜଗନ୍ନାଥଙ୍କ ଘର ଲୋକଙ୍କୁ ଫୋନ କରି ଘଟଣା ଜଣାଇଥିଲେ।
ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଜଗନ୍ନାଥଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।