ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!
ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ କ୍ରିକେଟଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜ ପ୍ରତିଭାର ପ୍ରମାଣ ଦେଇସାରିଛନ୍ତି ବୈଭବ। ବିସ୍ଫୋରକ ବ୍ୟାଟିଂ ଯୋଗୁ ତାଙ୍କର ଫ୍ୟାନ ଫଲୋଇଂ ଦ୍ରୁତ ଗତିରେ ବଢ଼ୁଛି। ଆଇପିଏଲ ୨୦୨୬ରେ ଦମଦାର ପ୍ରଦର୍ଶନ ପରେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବେଶ ବଢ଼ିଥିବା ଦାବି କରାଯାଉଛି।
ରିପୋର୍ଟ ଅନୁସାରେ, ବୈଭବ ଏବେ ଦିନକୁ ପ୍ରାୟ ୧.୫ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କୁହାଯାଉଛି। ରିପୋର୍ଟରେ ତାଙ୍କ ଲୋକପ୍ରିୟତାକୁ କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଇଛି।
ଏଏମ୍ପି ସ୍ପୋଟର୍ସ ଆଣ୍ଡ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ତଥା ସିଇଓ ଇନ୍ଦ୍ରନୀଲ ଦାସ ବ୍ଲାହଙ୍କ ଅନୁଯାୟୀ, ଆଇପିଏଲ ପୂର୍ବରୁ ବୈଭବଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ବଜାର ମୂଲ୍ୟ ନଥିଲା। କିନ୍ତୁ ଏବେ ସେ ପ୍ରାୟ ଦିନକୁ ୧.୫ କୋଟି ଟଙ୍କା ଚାର୍ଜ କରୁଥିବା କୁହାଯାଉଛି। ଆଗାମୀ କିଛି ବର୍ଷରେ ତାଙ୍କ ବ୍ରାଣ୍ଡ ଡିଲ ଫି’ ଆହୁରି ଦୁଇଗୁଣା ହୋଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି।
ବୈଭବ ଯଦି ଆଗାମୀ ଦୁଇ ବର୍ଷ ମଧ୍ୟ ଏହିଭଳି ପ୍ରଦର୍ଶନ ଜାରି ରଖନ୍ତି, ତେବେ ତାଙ୍କ ଏଣ୍ଡୋର୍ସମେଣ୍ଟ ଆୟ ଦିନକୁ ୩ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଦାସ ବ୍ଲାହ ବୈଭବଙ୍କୁ ଶୁଭମନ ଗିଲ, ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଭଳି ଷ୍ଟାର୍ କ୍ରିକେଟରଙ୍କ ସହ ତୁଳନା କରିଛନ୍ତି।
ବୈଭବଙ୍କର ବର୍ତ୍ତମାନ କୌଣସି ଔପଚାରିକ ଏଜେଣ୍ଟ ନାହାନ୍ତି। ତାଙ୍କ ବ୍ୟବସାୟିକ ମାମଲା ପରିବାର ହିଁ ପରିଚାଳନା କରୁଛି। ଏହା ସହ ତାଙ୍କ ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କୁ ପୂରା ସମର୍ଥନ ଦେଉଛି।
ତେବେ ବୈଭବ ଏପର୍ଯ୍ୟନ୍ତ ୧୮ ବର୍ଷ ବୟସରେ ପହଞ୍ଚିନାହାନ୍ତି। ତେଣୁ ତାଙ୍କ ବ୍ୟବସାୟିକ ଚୁକ୍ତି ଓ ଅନ୍ୟାନ୍ୟ ନିଷ୍ପତ୍ତିରେ ପରିବାର ଏବଂ ଭରସାଯୋଗ୍ୟ ଟିମର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ବୈଭବ ଇଂଲଣ୍ଡ ଗସ୍ତରେ ଭାରତ ପାଇଁ T20I ଡେବ୍ୟୁ କରିଥିଲେ। ଯଦିଓ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇନଥିଲା, ପରେ ଜିମ୍ବାୱେ ବିପକ୍ଷ T20 ସିରିଜରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ୩ଟି ମ୍ୟାଚରେ ୧୫୧ ରନ କରି ସେ ପ୍ଲେୟର ଅଫ ଦି ସିରିଜ ହୋଇଥିଲେ।
ଏପର୍ଯ୍ୟନ୍ତ ୬ଟି T20I ମ୍ୟାଚରେ ବୈଭବ ୩୨.୧୬ ହାରାହାରି ଓ ୧୮୯.୨୧ ଷ୍ଟ୍ରାଇକ ରେଟ୍ରେ ୧୯୩ ରନ କରିଛନ୍ତି। ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କ ବ୍ୟାଟ୍ରୁ ୧୬ଟି ଚୌକା ଓ ୧୪ଟି ଛକା ମଧ୍ୟ ଆସିଛି। ବର୍ତ୍ତମାନ ବୈଭବ ଆଫଗାନିସ୍ତାନ ବିପକ୍ଷ T20 ସିରିଜ ପାଇଁ ଭାରତୀୟ ଦଳର ଅଂଶ ଅଛନ୍ତି। ଏତେ କମ ବୟସରେ ତାଙ୍କର ଲୋକପ୍ରିୟତା ଓ ବ୍ରାଣ୍ଡ ଭାଲ୍ୟୁ ଯେଉଁଭଳି ବଢ଼ୁଛି, ଆଗାମୀ ଦିନରେ ସେ ଭାରତୀୟ କ୍ରିକେଟର ଅନ୍ୟତମ ବଡ଼ ବ୍ରାଣ୍ଡ ହୋଇପାରନ୍ତି ବୋଲି ଆକଳନ କରାଯାଉଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।