ଦିଲ୍ଲୀରେ ପହଞ୍ଚିଲେ ପୁଟିନ୍, ଆଜି ମୋଦୀଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା

Sep 11, 2026 - 16:41
ଦିଲ୍ଲୀରେ ପହଞ୍ଚିଲେ ପୁଟିନ୍, ଆଜି ମୋଦୀଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଶୁକ୍ରବାର ଭୋର ପ୍ରାୟ ୩ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପୁଟିନ୍ ଭାରତ ଆସିଥିବା ବେଳେ ପାଲମ ବିମାନବନ୍ଦରରେ ତାଙ୍କୁ ଭାରତୀୟ ଅଧିକାରୀମାନେ ସ୍ୱାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ରୁଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ପୁଟିନ୍‌ଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ରଣନୈତିକ ସହଯୋଗ ଭଳି ଅନେକ ପ୍ରମୁଖ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିବାର ଆଶା କରାଯାଉଛି। ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ରୁଷ ସହଯୋଗ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇପାରେ। ବ୍ରହ୍ମୋସ କ୍ଷେପଣାସ୍ତ୍ରର ସମ୍ଭାବ୍ୟ ଉନ୍ନତି, ରୁଷରୁ ଅବଶିଷ୍ଟ ଏସ୍‌-୪୦୦ ପ୍ରଣାଳୀର ବିତରଣ ଏବଂ ସୁ-୫୭ ଲଢ଼ୁଆ ବିମାନ ସମ୍ପର୍କିତ ପ୍ରସ୍ତାବ ଆଲୋଚନାରେ ସ୍ଥାନ ପାଇପାରେ। ଏହାସହ ଭାରତରେ ନୂତନ ବେସାମରିକ ପରମାଣୁ ରିଆକ୍ଟର ସ୍ଥାପନ ଏବଂ ଶକ୍ତି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହାପୂର୍ବରୁ ମୋଦୀ ଓ ପୁଟିନ୍ ଅଗଷ୍ଟ ୩୧ରେ ବିଶକେକରେ ଏସ୍‌ସିଓ ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ। ସେତେବେଳେ ଦୁଇ ନେତା ରାଜନୈତିକ, ଅର୍ଥନୈତିକ, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଲୋକ-ଲୋକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଭାରତ-ରୁଷ ସହଯୋଗର ସମୀକ୍ଷା କରିଥିଲେ। ଏଥିସହ ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଲୋଚନା ଓ କୂଟନୀତିକୁ ଆଗକୁ ବଢ଼ାଇବା ଉପରେ ମୋଦୀ ଗୁରୁତ୍ୱ ଦେଇଥିଲେ। ପୁଟିନ୍‌ଙ୍କ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସେପ୍ଟେମ୍ବର ୧୨ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ସାତ ବର୍ଷ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦୀ ଓ ସି ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟ ପୃଥକ ଦ୍ୱିପାକ୍ଷିକ ଆଲୋଚନା ହେବାକୁ ଥିବା ବେଳେ ବାଣିଜ୍ୟ ଓ ସୀମା ପ୍ରସଙ୍ଗ ଏଥିରେ ପ୍ରମୁଖ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।