ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…
ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଆସିକା-କାଳଷଣ୍ଢପୁର ଛକ ନିକଟ ୩୧୭ ନମ୍ବର ରାଜପଥରେ ଭୋର ପ୍ରାୟ ସାଢେ ୨ ଟାରେ ଯାତ୍ରୀବାହୀ ଅଟୋ( ନଂ. ଓଡି୦୫ ସି – ୧୬୮୦) ରାସ୍ତା କଡରେ ଠିଆ ହୋଇଥିବା ଏକ ହାଇୱା ଟ୍ରକ (ନଂ. ଓଡ଼ି ୩୨ କେ -୧୬୩୬)କୁ ଧକ୍କା ଦେବାରୁ ମନୋଜଙ୍କ ସମେତ ଅଟୋ ଚାଳକ କାଳିଆ ପ୍ରଧାନ ଏବଂ ଅଟୋରେ ଥିବା ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିଲେ।
ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମନୋଜଙ୍କ ମୃତ୍ୟୁ ଘଟିଥିଲା। ଆଦିକନ୍ଦପୁର ଗ୍ରାମର ମନୋଜ କଟକରେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ଗ୍ରାମର କାଳିଆ ପ୍ରଧାନ ଗତ ପ୍ରାୟ ୧ ମାସ ତଳେ ଏକ ଯାତ୍ରୀବାହୀ ଅଟୋ କିଣି କଟକରେ ରହୁଥିଲେ। ରବିବାର ପରିବାର ଲୋକଙ୍କ ସହ ଦୀପାବଳି ଉତ୍ସବ ମନାଇବା ପାଇଁ ମନୋଜ ଏବଂ କଟକରେ ରହୁଥିବା ତାଙ୍କ ୩ ସାଙ୍ଗ କାଳିଆଙ୍କ ନୂଆ ଅଟୋରେ ହସଖୁସିରେ ଗାଁକୁ ଫେରୁଥିଲେ। ଭୋର ପ୍ରାୟ ସାଢେ ୨ଟାରେ ଆସିକା-କାଳଷଣ୍ଢପୁର ଛକ ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା ଦେଖାଯାଇ ନ ଥିଲା। ଚାଳକଙ୍କ ଅସାବଧାନତା କାରଣରୁ ଅଟୋଟି ରାସ୍ତାକଡରେ ଥିବା ହାଇୱା ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ସେମାନେ ରାସ୍ତାରେ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ। ଅନ୍ୟଗାଡ଼ିରେ ଯାଉଥିବା କିଛି ବ୍ୟକ୍ତି ଅଟକି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ପୋଲିସ ଦୁର୍ଘଟଣାଗ୍ରସ୍ତ ଅଟୋ ଓ ହାଇୱା ଟ୍ରକକୁ ଜବତ କରିଛି। ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ମନୋଜଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁ ଦାଣ୍ଡ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଶନିବାର ସନ୍ଧ୍ୟାରେ ମନୋଜ ତାଙ୍କ ସ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ଗାଁକୁ ଫେରୁଥିବା କହିଥିଲେ। ମନୋଜଙ୍କ ୫ ବର୍ଷ ବୟସର ପୁଅ ଟିଏ ଅଛନ୍ତି।
ଦୀପାବଳି ଉତ୍ସବ ମନେଇବା ପାଇଁ ସେ କଟକରୁ ମିଠା, ବାଣ ଓ ଅନ୍ୟାନ୍ୟ ସାମଗ୍ରୀ ସାଙ୍ଗରେ ଧରି ଘରକୁ ଫେରୁଥିବା ବେଳେ ଘରଠାରୁ ମାତ୍ର ୨୫ କି.ମି ଦୂରରେ ଘଟିଥିଲା ଦୁର୍ଘଟଣା। ମନୋଜଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।