ଦୀପାବଳି ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ବାୟୁର ଭୟ, ୩୬୪ରେ ପହଞ୍ଚିଲା ଏକ୍ୟୁଆଇ
ନୂଆଦିଲ୍ଲୀ: ଦୀପାବଳିର ଆଲୋକ ଓ ଉତ୍ସବ ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ଘାରିଛି ବାୟୁ ପ୍ରଦୂଷଣର ଚିନ୍ତା। ଦିନକୁ ଦିନ ବିଗୁଡ଼ୁଛି ବାୟୁର ମାନ। ବିଷାକ୍ତ ବାୟୁରେ ଅଣନିଃଶ୍ୱାସୀ ହେଉଛନ୍ତି ରାଜଧାନୀବାସୀ। ଶନିବାର ସକାଳ ୯ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୬୪ ରେକର୍ଡ କରାଯାଇଛି, ଯାହା ‘ଅତି ଖରାପ’ ବର୍ଗରେ ରହିଛି। ଆଗକୁ ପ୍ରଦୂଷଣ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲ ପିଲାଙ୍କ ସୁରକ୍ଷା ନିମନ୍ତେ ବଡ଼ ପଦକ୍ଷେପ ନିଆଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ହାଇବ୍ରିଡ୍ ମୋଡ୍ରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍ ପିଲାମାନେ ଚାହିଁଲେ ସ୍କୁଲକୁ ଯାଇ କିମ୍ବା ଅନ୍ଲାଇନ୍ରେ ପାଠ ପଢ଼ିପାରିବେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୪ଟାରେ ଦିଲ୍ଲୀର ୨୪ ଘଣ୍ଟିଆ ହାରାହାରି ଏକ୍ୟୁଆଇ ୩୮୨ ରହିଥିଲା। ଶନିବାର ସକାଳ ୯ଟାରେ ଏହା ୩୬୪ ରହିଥିଲେ ମଧ୍ୟ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି। ସହରରେ ଥିବା ୫୯ଟି ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ମଧ୍ୟରୁ ୧୮ଟିରେ ଏକ୍ୟୁଆଇ ‘ଗୁରୁତର’ ବର୍ଗରେ ରେକର୍ଡ କରାଯାଇଛି। ଦିଲ୍ଲୀ ପାଇଁ ବାୟୁ ଗୁଣବତ୍ତା ପ୍ରାରମ୍ଭିକ ସତର୍କତା ପ୍ରଣାଳୀର ପୂର୍ବାନୁମାନ ଅନୁଯାୟୀ, ଶନିବାର ଏକ୍ୟୁଆଇ ଗୁରୁତର ବର୍ଗକୁ ଯାଇପାରେ। ବାୟୁ ପ୍ରଦୂଷଣକୁ ନଜରରେ ରଖି ଶୁକ୍ରବାର ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ହାଇବ୍ରିଡ୍ ପାଠପଢ଼ା ନିର୍ଦ୍ଦେଶ ଜାରି ହୋଇଛି। ଏହା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ସ୍ୱୀକୃତିପ୍ରାପ୍ତ ଘରୋଇ ସ୍କୁଲ ପାଇଁ ଲାଗୁ ହେବ। ଏଥିସହ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍ (ଏନ୍ଡିଏମ୍ସି), ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ୍ (ଏମ୍ସିଡି) ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଧୀନରେ ଥିବା ସ୍କୁଲଗୁଡ଼ିକ ମଧ୍ୟ ଏହାର ପରିସରଭୁକ୍ତ ହୋଇଛନ୍ତି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଦିଲ୍ଲୀ-ଏନ୍ସିଆର୍ରେ ତୁରନ୍ତ ଗ୍ରାପ୍-୩ର ସମସ୍ତ କଟକଣା ଲାଗୁ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ମୁଖ୍ୟମାନଙ୍କୁ ତୁରନ୍ତ ଅଭିଭାବକଙ୍କୁ ଏହି ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ କୁହାଯାଇଛି। ଏଥିସହ ଜିଲା ଓ ଜୋନ୍ସ୍ତରୀୟ ଶିକ୍ଷା ଉପନିର୍ଦ୍ଦେଶକମାନଙ୍କୁ ନିଜ ଅଞ୍ଚଳର ସ୍କୁଲ ପରିଦର୍ଶନ କରି ନିର୍ଦ୍ଦେଶର ସଠିକ୍ କାର୍ଯ୍ୟକାରିତା ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି। ସିପିସିବିର ମାନଦଣ୍ଡ ଅନୁଯାୟୀ, ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ ‘ଭଲ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’, ୩୦୧ରୁ ୪୦୦ ‘ଅତି ଖରାପ’ ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ ‘ଗୁରୁତର’ ବୋଲି ବିବେଚନା କରାଯାଏ।
ଅନ୍ୟପକ୍ଷରେ ଦିଲ୍ଲୀର କେତେକ ପାଣିପାଗ କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଦିଲ୍ଲୀର ପାଣିପାଗର ପ୍ରତିନିଧିତ୍ୱ କରୁଥିବା ସଫଦରଜଙ୍ଗ କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ୧୬.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏହା ସ୍ୱାଭାବିକଠାରୁ ୧.୯ ଡିଗ୍ରୀ କମ୍ ଏବଂ ଶୁକ୍ରବାର ତୁଳନାରେ ୧ ଡିଗ୍ରୀ କମ୍। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଗାମୀ କିଛିଦିନ ଦିଲ୍ଲୀର ଆକାଶ ପ୍ରାୟତଃ ନିର୍ମଳ ରହିବ ବୋଲି ପୂର୍ବାନୁମାନ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।