ଦୁଃଖ ଦେଉଛି ଓଭରବ୍ରିଜ୍ !
ନନ୍ଦିଘୋଷ ବ୍ୟୁରୋ: ୯ ବର୍ଷ ହେଲା ସରୁନି ଓଭରବ୍ରିଜ କାମ । ଅସ୍ଥାୟୀ ସର୍ଭିସ ରୋଡ଼ ପାଲଟିଛି ମରଣଯନ୍ତା । ଖାଲଖମା ସହ ପ୍ରତିଦିନ ଘଟୁଛି ଦୁର୍ଘଟଣା । ଘଣ୍ଟାଘଣ୍ଟା ଅଟକି ରହୁଛି ଗାଡ଼ି । ଗଞ୍ଜାମ ଜିଲ୍ଲା ହୁମ୍ମାରେ ତେଜୁଛି ଅସନ୍ତୋଷ । ୨୦୧୭ରେ ପ୍ରାୟ ୧୭.୮ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା ହୁମ୍ମା ଓଭରବ୍ରିଜ୍ କାମ । ହେଲେ ୯ ବର୍ଷ ହେଲା କାମ ସରୁ ନଥିବାବେଳେ ଏହାରି ଭିତରେ ୩୦ରୁ ଅଧିକ ଜୀବନ ନେଲାଣି ଅସ୍ଥାୟୀ ସର୍ଭିସ ରୋଡ଼ । ଆଇନ ଓ ଅବକାରୀ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ ଛତ୍ରପୁର ବିଧାୟକ ଏହି ସମସ୍ୟା ସମ୍ପର୍କରେ ତାଙ୍କୁ ବଗତ କରାଇଥିଲେ । ଏହାପରେ ସାମୟିକ ଭାବେ କିଛିଦିନ କାମ ଚାଲିଲା । ହେଲେ ସପ୍ତାହେ ନପୂରୁଣୁ ପିଚୁ ଉଠି ରାସ୍ତାରେ ଖାଲ ସୃଷ୍ଟି ହେବାରୁ ଏହାକୁ ପୁଣି ବନ୍ଦ କରାଯାଇଛି । ମୁଖ୍ୟ ଠିକାଦାର ପ୍ରାୟ ବର୍ଷେ ହେଲା କାମ ଅଧାରେ ଛାଡ଼ି ଚାଲିଯାଇଥିବା ବେଳେ ଅସ୍ଥାୟୀ ଠିକାଦାରଙ୍କ ଜରିଆରେ ତରବରିଆ ଭାବେ କାମ କରିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ୧୦ କୋଟିରୁ ଟଙ୍କାର କାମ ସରିଛି । ବାକି ପ୍ରାୟ ୭ କୋଟି ଟଙ୍କାର କାମ ପାଇଁ ଅକ୍ଟୋବର ୪ ତାରିଖରେ ନୂଆ ଠିକାଦାର ନିଯୁକ୍ତ ହୋଇଛନ୍ତି । ସର୍ଭିସ୍ ରୋଡ୍ କାମ ମଧ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଆରମ୍ଭରୁ ୩୩ କେଭି ବିଦ୍ୟୁତ୍ ସବଷ୍ଟେସନ୍ ସ୍ଥାନାନ୍ତରକୁ ନେଇ ବିବାଦ ଉପୁଜିଥିବାରୁ ନିର୍ମାଣ କାମ ଅଟକି ରହିଥିଲା । ବିବାଦର ସମାଧାନ ହେଲେ କାମ ଆରମ୍ଭ ହେବ ବୋଲି କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।