ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ଛତ୍ରପୁର ସହର : ଆର୍ଶୀବାଦ ନେଲେ ଜିଲାପାଳ

Sep 17, 2026 - 20:15
ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ଛତ୍ରପୁର ସହର : ଆର୍ଶୀବାଦ ନେଲେ ଜିଲାପାଳ

ଛତ୍ରପୁର,୧୭।୯,(ଦିଲ୍ଲୀପ ସାମଲ/ଦାରିକା ପଟ୍ଟନାୟକ): ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଗଞ୍ଜାମ ଜିଲାର ଛତ୍ରପୁର ସହର। ବିଶ୍ୱକର୍ମା ପୂଜାକୁ ନେଇ ସହରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ସାଜସଜ୍ଜା ସହ ଆଲୋକମାଳାରେ ପୂଜା ମଣ୍ଡପଗୁଡ଼ିକୁ ସଜାଯାଇଛି। ଫଳରେ ସମଗ୍ର ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଗୋଟିଏ ପଟେ ବିଭିନ୍ନ ସାହିରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା ଚାଲିଥିବା ବେଳେ, ଅନ୍ୟପଟେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ବିଭିନ୍ନ ଶିଳ୍ପାଞ୍ଚଳ ଓ ସରକାରୀ କାର୍ଯ୍ୟାଳୟ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି।
ଛତ୍ରପୁରସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ପହଞ୍ଚି ଭଗବାନ ବିଶ୍ୱକର୍ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ସେହିପରି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜନସ୍ବାସ୍ଥ୍ୟ ବିଭାଗର ସେକ୍ସନ ଅଫିସ ସମେତ ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱକର୍ମା ପୂଜା ଆୟୋଜନ କରାଯାଇଛି।

ସେହିପରି ରିକାପଲ୍ଲୀ ଛକଠାରେ ଛତ୍ରପୁର ଆଞ୍ଚଳିକ ବିଶ୍ୱକର୍ମା କାଠ କାରିଗର ସଂଘ ପକ୍ଷରୁ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଆୟୋଜନ କରାଯାଇଛି। ଏଥିସହ ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମରେ ଖୁରିଗାଁ ବିଶ୍ୱକର୍ମା ସମାଜ ପକ୍ଷରୁ ମହାଆଡ଼ମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି।
ବିଭିନ୍ନ ପୂଜା ମଣ୍ଡପରେ ରଙ୍ଗବେରଙ୍ଗର ଆଲୋକସଜ୍ଜା ଓ ଆକର୍ଷଣୀୟ ସାଜସଜ୍ଜା ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି। ବିଶ୍ୱକର୍ମା ପୂଜାକୁ ନେଇ କାରିଗର, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।