ଦେବୀ ମୁହାଣ ପୋତି ହୋଇ ବଢ଼ିଲା ବିପଦ, ଭାଙ୍ଗୁଛି ଟ୍ରଲର
ନନ୍ଦିଘୋଷ ବ୍ୟୁରୋ : ସମୁଦ୍ରକୁ ଯିବା ବେଳେ ଦେବୀ ନଦୀ ନିକଟ ଦକ୍ଷିଣ ମୁହାଣରେ ଫସିଲା ଟ୍ରଲର। ମୁହାଣ ପୋତି ହୋଇଯିବାରୁ ଗୋଟିଏ ପରେ ଗୋଟିଏ ଟ୍ରଲର ବୋଟ ଭାଙ୍ଗି ଚୁରମାର ହେଉଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣର ଦକ୍ଷିଣ ପାର୍ଶ୍ୱ ବନ୍ୟା ପରେ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏବେ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବାଲିଚର ଓ ଘାସରେ ମୁହାଣ ପରିପୂର୍ଣ୍ଣ ହୋଇଥିବାରୁ ଟ୍ରଲର ଚଳାଚଳରେ ସମସ୍ୟା ଦେଖାଦେଇଛି। ବହୁ ଚେଷ୍ଟା ପରେ କିଛି ଟ୍ରଲର ଫେରିଆସୁଥିବା ବେଳେ ଉତ୍ତର ମୁହାଣ ଦେଇ ମଧ୍ୟ ବହୁ କଷ୍ଟରେ ସମୁଦ୍ରକୁ ଯାଉଛନ୍ତି ମତ୍ସ୍ୟଜୀବୀ। ବିପଦକୁ ଏଡ଼ାଇବା ପାଇଁ ଅନେକ ଟ୍ରଲର ମାଲିକ ସମୁଦ୍ର ଭିତରେ ଲଙ୍ଗର ପକାଇ ବୋଟ ରଖୁଛନ୍ତି। ତେବେ ବଡ଼ ବଡ଼ ଲହଡ଼ି ମାଡ଼ରେ ଟ୍ରଲର ବୁଡ଼ିଯିବା ସହ ଭାଙ୍ଗିଯାଉଥିବା ଅଭିଯୋଗ ରହିଛି।
ଗତ ୩ ବର୍ଷ ମଧ୍ୟରେ ଅନେକ ଟ୍ରଲର ବୁଡ଼ିବା ଓ ଭାଙ୍ଗିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଟ୍ରଲର ମରାମତି ପାଇଁ ଅର୍ଥ ଅଭାବ ସାଙ୍ଗକୁ ବ୍ୟାଙ୍କ ଋଣର ବୋଝ ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇଛି। ସମୁଦ୍ର ସାମ୍ନାରେ ଥାଇ ମଧ୍ୟ ମୁହାଣ ସମସ୍ୟା ଯୋଗୁଁ ସମୁଦ୍ରକୁ ଯାଇପାରୁନାହାନ୍ତି ଅନେକ ମତ୍ସ୍ୟଜୀବୀ। ଏନେଇ ଅସ୍ତରଙ୍ଗ ନୂଆଗଡ଼ ଜେଠି ନିକଟରୁ ଅଧିକ ସୂଚନା ଦେଉଛନ୍ତି ଆମ କୋଣାର୍କ ପ୍ରତିନିଧି ମାନସ ଖଣ୍ଡୁଆଳ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।