ଦେଶରେ ଅକ୍ଟୋବର ମାସରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ

Nov 06, 2026 - 17:27
ଦେଶରେ ଅକ୍ଟୋବର ମାସରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ

ନୂଆଦିଲ୍ଲୀ: ଦେଶରେ ଅକ୍ଟୋବର ମାସରେ ଗାଡ଼ି ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ବିକ୍ରି ୨୩.୮ ପ୍ରତିଶତ ହ୍ରାସ ପାଇ ୩୧.୭୨ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ଅକ୍ଟୋବରରେ ନବରାତ୍ରି ଓ ଦୀପାବଳି ଗୋଟିଏ ମାସରେ ପଡ଼ିଥିବାବେଳେ ଚଳିତବର୍ଷ ନବରାତ୍ରି ଅକ୍ଟୋବରରେ ଏବଂ ଧନତେରସ୍‌ ଓ ଦୀପାବଳି ନଭେମ୍ବରରେ ପଡ଼ିଛି। ଏହା ସହ ଗତବର୍ଷ ଜିଏସ୍‌ଟି ହ୍ରାସ ପରେ ଗାଡ଼ି କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଅଧିକ ଆଗ୍ରହ ରହିଥିଲା। ଏହି କାରଣରୁ ଗତବର୍ଷର ବିକ୍ରି ସହ ତୁଳନା କଲେ ଚଳିତବର୍ଷ ଅକ୍ଟୋବରରେ ହ୍ରାସ ଅଧିକ ଦେଖାଯାଇଛି ବୋଲି ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍‌ (ଫାଡା) ପକ୍ଷରୁ କୁହାଯାଇଛି।

ଫାଡାର ତଥ୍ୟ ଅନୁସାରେ, ଅକ୍ଟୋବରରେ ଦୁଇଚକିଆ ଯାନ ବିକ୍ରି ୨୮.୩୫ ପ୍ରତିଶତ ହ୍ରାସ ପାଇ ୨୩.୨୧ ଲକ୍ଷ ହୋଇଛି। ଯାତ୍ରୀବାହୀ ଗାଡ଼ି ବିକ୍ରି ମଧ୍ୟ ୫.୦୮ ଲକ୍ଷ ରହିଛି। ଦୁଇଚକିଆ ଯାନ ବିକ୍ରିରେ ଗ୍ରାମାଞ୍ଚଳରେ ଅଧିକ ହ୍ରାସ ଘଟିଛି। ଗ୍ରାମାଞ୍ଚଳରେ ଏହା ୩୩.୯୭% କମିଥିବାବେଳେ ସହରାଞ୍ଚଳରେ ୨୦.୭୭% ହ୍ରାସ ପାଇଛି।

ଇଲେକ୍ଟ୍ରିକ୍‌ ଯାନ ବିକ୍ରିରେ ନୂଆ ରେକର୍ଡ
ଅନ୍ୟପକ୍ଷରେ ଇଲେକ୍ଟ୍ରିକ୍‌ ଯାନ ବିକ୍ରିରେ ନୂଆ ରେକର୍ଡ ହୋଇଛି। ଅକ୍ଟୋବରରେ ପ୍ରାୟ ୩.୫୫ ଲକ୍ଷ ଇଲେକ୍ଟ୍ରିକ୍‌ ଯାନ ବିକ୍ରି ହୋଇଛି। ମୋଟ ଗାଡ଼ି ବିକ୍ରିରେ ଇଲେକ୍ଟ୍ରିକ୍‌ ଯାନର ଭାଗ ୧୧.୫%କୁ ବୃଦ୍ଧି ପାଇଛି। ଗତବର୍ଷ ଏହା ୬% ଥିଲା। ସେହିପରି ସିଏନ୍‌ଜି, ହାଇବ୍ରିଡ୍‌ ଓ ଇଲେକ୍ଟ୍ରିକ୍‌ ଯାନକୁ ମିଶାଇ ବିକ୍ରିର ଭାଗ ୪୧.୮୩% ରହିଛି। ଏହା ପେଟ୍ରୋଲ ଗାଡ଼ିର ୪୧.୬% ଭାଗଠାରୁ ଅଧିକ।

ତେବେ ବାଣିଜ୍ୟିକ ଯାନ ବିକ୍ରି ୨.୨୯% ବଢ଼ି ୧.୧୫ ଲକ୍ଷ ହୋଇଛି। ତିନିଚକିଆ ଯାନ ବିକ୍ରି ୩.୯୭% ବୃଦ୍ଧି ପାଇ ୧.୪୧ ଲକ୍ଷ ୟୁନିଟ୍‌ ଏବଂ ଟ୍ରାକ୍ଟର ବିକ୍ରି ୩.୧୦% ବଢ଼ି ୭୯,୨୮୫ ୟୁନିଟ୍‌ ହୋଇଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଚକଯୁକ୍ତ ଯନ୍ତ୍ରପାତି ବିକ୍ରି ମଧ୍ୟ ୨୨.୦୭% ବୃଦ୍ଧି ପାଇଛି।
ଫାଡା ଅଧ୍ୟକ୍ଷ ସାଇ ଗିରିଧରଙ୍କ କହିବାନୁସାରେ, ଅକ୍ଟୋବରରେ ବିକ୍ରି ହ୍ରାସକୁ ଗାଡ଼ି ବଜାରରେ ଚାହିଦା କମିବା ବୋଲି ବିଚାର କରିବା ଠିକ୍‌ ହେବ ନାହିଁ। ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଗାଡ଼ି ବିକ୍ରି ୨୫% ବଢ଼ିଛି। ନଭେମ୍ବରରେ ଧନତେରସ୍‌ ଓ ଦୀପାବଳି ପଡ଼ୁଥିବାରୁ ଏହି ମାସରେ ଗାଡ଼ି ବିକ୍ରି ବଢ଼ିବ ବୋଲି ଡିଲର୍‌ମାନେ ଆଶା ରଖିଛନ୍ତି। ବର୍ଷ ଶେଷରେ ରିହାତି, ନୂଆ ମଡେଲ୍‌ ଓ ଗାଡ଼ି ଯୋଗାଣ ଉପରେ ଆଗାମୀ ଦୁଇ ମାସର ବିକ୍ରି ନିର୍ଭର କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।