ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ସମସ୍ତଙ୍କୁ ଉଦ୍ଧାର କରି ଆଣିଲା ରେସ୍କୁ ଟିମ୍‌

Oct 27, 2026 - 19:42
ଦ୍ବୀପରେ ଅଟକି ରହିଥିଲେ କଙ୍କଡ଼ା ଧରାଳି, ସମସ୍ତଙ୍କୁ ଉଦ୍ଧାର କରି ଆଣିଲା ରେସ୍କୁ ଟିମ୍‌

ମହାକାଳପଡ଼ା,୨୭।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅର୍ଣ୍ଣବ ଉପକୂଳ ମୁହାଁହୋଇ ସ୍ଥଳଭାଗକୁ ମାଡ଼ି ଆସୁଛି। ଅନ୍ୟପକ୍ଷେ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ରେସ୍କୁ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏଭଳିସ୍ଥିତିରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ଶବରପଡ଼ାର ୨୦ଜଣ କଙ୍କଡା ଧରାଳି ହୁକିଟୋଲା ସଂଲଗ୍ନ ଅନତୀ ଦୂରରେ ଥିବା ଲଞ୍ଚଘୋଲା ଦ୍ବୀପରେ ପଲିଥିନ ଟାଣି ରହିଥିଲେ। ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଡାକ ବାଜି ମାଇକରେ ପ୍ରଚାର କରି ସଚେତନତା କରାଯାଇଥିଲା। ହେଲେ ଏମାନଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚି ନ ଥିବା ସୋମବାର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।

ବନ ବିଭାଗ କର୍ମଚାରୀ ଦ୍ବୀପରୁ ତଲାସି ପରେ ସୋମବାର ବିଳମ୍ବିତ ରାତିରେ ୨୦ଜଣ କଙ୍କଡା ଧରାଳିଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରକୁ ପଠାଯାଇଥିବା ଜିଲାପାଳ ରଘୁରାମ ଆର୍‌ ଆୟାର ସୂଚନା ଦେଇଛନ୍ତି। ଅପରପକ୍ଷେ ପେଟଛେଲା ରାଜସ୍ବ ସର୍କଲ ନିରୀକ୍ଷକ ବିଜୟ କୁମାର ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡାଙ୍କ ସହ ଅନ୍ୟ ଅଧିକାରୀମାନେ ଶବରପଡ଼ା ଗାଁରେ ପହଞ୍ଚି ଉଦ୍ଧାର କଙ୍କଡା ଧରାଳିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।

କେତେକ କଙ୍କଡା ଧରାଳିଙ୍କ କହିବା ମୁତାବକ, କଙ୍କଡା ଫେସରୀ ଗଦି ମାଲିକମାନେ ଗରିବ ନିରୀହ ଶବର ସମ୍ପ୍ରଦାୟଙ୍କଠାରୁ ବହୁ ମୂଲ୍ୟର ମାଛ, କଙ୍କଡାକୁ ଖୁବ କମ୍‌ ମୂଲ୍ୟ କିଣି ଚଢାଦରରେ ବିକ୍ରି କରୁଥିବା ଗୁରୁତର ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେଇ ଆବଶ୍ୟକ ବଜାର ସୁବିଧା ଯୋଗାଇ ଦେବାକୁ କଙ୍କଡାଧରାଳିମାନେ ଦାବି କରିଛନ୍ତି। କେତେକ ବେପାରୀ ବର୍ଷ ସାରା କଙ୍କଡା ଧରାଳଙ୍କୁ ଦ୍ବୀପରେ ନିୟୋଜିତ କରୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।