ନବୀନ, ବିଜେଡିର ବାର୍ଦ୍ଧକ୍ୟଜନିତ ସମସ୍ୟା ହେଲାଣି: ଭାଜପା
ଭୁବନେଶ୍ୱର,୨୩ା୧୦(ସୁନିତ୍ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମ ‘x’ରେ ଏକ ପୋଷ୍ଟକରି କହିଛନ୍ତି, ସିଜେପି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ଗିରଫଦାରିକୁ ସେ ନିନ୍ଦାକରିବା ସହ ସେମାନଙ୍କ ମୁକ୍ତି ପାଇଁ ଦାବି କରିଥିଲେ। ଏପରିକି ନ୍ୟାୟିକ ପ୍ରକ୍ରିୟାକୁ ଆକ୍ଷେପ କରିବା ସହ ପ୍ରଶାସନିକ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିବା କୌଣସି ଅପରାଧ ନୁହେଁ ବୋଲି ବିଚାରାଳୟକୁ ପରାମର୍ଶ ଦେବା ସହ ଉଭୟଙ୍କୁ ଶୀଘ୍ର ମୁକ୍ତକରିବା ଲାଗି ପ୍ରଶାସନିକ ବ୍ୟବସ୍ଥାକୁ ଉପଦେଶ ଦେଇଥିଲେ। ଗତ ୨୪ ବର୍ଷ ଧରି ଆଇନ ତା’ ବାଟରେ ଯିବ ବୋଲି କହି ଆସୁଥିବା ନବୀନଙ୍କ ପ୍ରକୃତରେ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ନ ଥିଲା। ଯଦି ପୂର୍ବରୁ ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଶ୍ୱାସ ଥିଲା ବୋଲି ତାଙ୍କର ହୃଦୟଙ୍ଗମ ହେଉଥିଲା ତେବେ ଆଜି ଏ ହୃଦୟ ପରିବର୍ତ୍ତନ କାହିଁକି ବୋଲି ଭାଜପା ପ୍ରଶ୍ନ କରିଛି। ଭାଜପା ଉପସଭାପତି ଜତୀନ ମହାନ୍ତି କହିଛନ୍ତି, ଏବେ ଅରାଜକତା ସୃଷ୍ଟିକାରୀ ଶକ୍ତିମାନଙ୍କୁ ସମର୍ଥନ କରିବାକୁ ଯାଇ ନବୀନବାବୁ ତାଙ୍କର ସମସ୍ତ ନୀତି, ନିୟମ ଓ ନୈତିକତା ଭୁଲିଗଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଜତୀନ କହିଛନ୍ତି, ଯେଉଁମାନେ ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟ ବାସ୍ତବରେ କ’ଣ ବୋଲି ଦିଲ୍ଲୀ କୋର୍ଟ ପ୍ରଶ୍ନ କରିଥିଲେ। ବର୍ତ୍ତମାନ ଫ୍ରାନ୍ସଠାରୁ ଆରମ୍ଭକରି ଇଟାଲୀ, ସ୍ପେନ୍ ପର୍ଯ୍ୟନ୍ତ ବ୍ୟାପିଥିବା ଆନ୍ଦୋଳନରେ ବ୍ୟାପକ ହିଂସା ଏବଂ ଅରାଜକତା ଦେଖିବାକୁ ମିଳୁଛି। ଗଣତନ୍ତ୍ର ଓ ପ୍ରଶାସନିକ ବ୍ୟବସ୍ଥାକୁ ଜୋରଜବରଦସ୍ତ ପରିବର୍ତ୍ତନକରି ନିଜର ଅରାଜକତାକୁ ଏଠାରେ ଚଳାଇବାକୁ ପ୍ରଚେଷ୍ଟା କରାଯାଉଛି। ସେମାନେ କହୁଛନ୍ତି , ବାଂଲାଦେଶ ଘଟଣା ତାଙ୍କ ପାଇଁ ଆଦର୍ଶ ଓ ପ୍ରେରଣା। ନବୀନବାବୁଙ୍କ ପୋଷ୍ଟରୁ ଜଣାପଡୁଛି ତାଙ୍କର ବାର୍ଦ୍ଧକ୍ୟଜନିତ ସମସ୍ୟା ସହ ତାଙ୍କ ଦଳ ବିଜେଡିର ଆଭିମୁଖ୍ୟ ମଧ୍ୟ ସମାନ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।