ନଭେମ୍ବର ୧ରୁ ମୋବାଇଲ୍‌ କଲ୍‌ରେ ବଡ଼ ପରିବର୍ତ୍ତନ! ଅଜଣା ନମ୍ବରରୁ କଲ୍‌ ଆସିଲେ ଦେଖାଯିବ….

Oct 15, 2026 - 15:30
ନଭେମ୍ବର ୧ରୁ ମୋବାଇଲ୍‌ କଲ୍‌ରେ ବଡ଼ ପରିବର୍ତ୍ତନ! ଅଜଣା ନମ୍ବରରୁ କଲ୍‌ ଆସିଲେ ଦେଖାଯିବ….

ମୋବାଇଲ କଲକୁ ନେଇ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ୧ ନଭେମ୍ବର ୨୦୨୬ରୁ ଦେଶରେ କଲିଂ ନେମ୍‌ ପ୍ରେଜେଣ୍ଟେସନ୍‌ (CNAP) ସେବା ଲାଗୁ କରିବାକୁ ଟେଲିକମ୍‌ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଦୂରସଞ୍ଚାର ବିଭାଗ (DoT)। ଏହାଦ୍ୱାରା ଫୋନ୍‌କୁ କଲ୍‌ ଆସିବା ସମୟରେ ନମ୍ବର ସହ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦେଖାଯିବ । ବିଭାଗର ଅକ୍ଟୋବର ୧୩ ତାରିଖର ସର୍କୁଲାର୍‌ ଅନୁଯାୟୀ, ସମସ୍ତ ସର୍ଭିସ୍‌ ଏରିଆରେ ଏହି ସେବା ଲାଗୁ କରିବାକୁ କୁହାଯାଇଛି।

CNAP ବ୍ୟବସ୍ଥାରେ କଲ୍‌ ରିସିଭ୍‌ କରୁଥିବା ବ୍ୟକ୍ତିଙ୍କ ମୋବାଇଲ୍‌ ସ୍କ୍ରିନ୍‌ରେ ଦୁଇଟି ସୂଚନା ଦେଖାଯିବ । ପ୍ରଥମଟି ହେଉଛି କଲ୍‌ କରୁଥିବା ମୋବାଇଲ୍‌ ନମ୍ବର ଏବଂ ଦ୍ୱିତୀୟଟି ହେଉଛି ସେହି ନମ୍ବର ସହ ଜଡ଼ିତ ନାଁ। ଯଦି କଲ୍‌ କରୁଥିବା ବ୍ୟକ୍ତିଙ୍କ ନମ୍ବର ଆପଣଙ୍କ ଫୋନ୍‌ର କଣ୍ଟାକ୍ଟ ଲିଷ୍ଟ୍‌ରେ ସେଭ୍‌ ହୋଇଥାଏ, ତେବେ ସେଭ୍‌ ହୋଇଥିବା ନାଁ ଦେଖାଯିବ। କିନ୍ତୁ ନମ୍ବର ସେଭ୍‌ ହୋଇନଥିଲେ, ଘରୋଇ କଲ୍‌ କ୍ଷେତ୍ରରେ ଟେଲିକମ୍‌ ଅପରେଟରଙ୍କ ଗ୍ରାହକ ରେକର୍ଡରେ ଥିବା ନାଁ ପ୍ରଦର୍ଶିତ ହେବ। ଅନ୍ତର୍ଜାତୀୟ କଲ୍‌ ଆସିଲେ ଅଜଣା ନମ୍ବର ସହ ‘International Call’ ଲେଖା ଦେଖାଯିବ।

ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏହି ସେବା ପାଇବା ପାଇଁ ଗ୍ରାହକଙ୍କୁ ଅଲଗା ଭାବେ ଆବେଦନ କରିବାକୁ କିମ୍ବା ସେବାକୁ ଆକ୍ଟିଭେଟ୍‌ କରିବାକୁ ପଡ଼ିବ ନାହିଁ। ଟେଲିକମ୍‌ କମ୍ପାନୀଗୁଡ଼ିକ ନିଜ ଗ୍ରାହକଙ୍କୁ ଏହା ଉପଲବ୍ଧ କରାଇବେ। ପ୍ରାରମ୍ଭିକ ନିର୍ଦ୍ଦେଶରେ ୪G ଏବଂ ଏହାଠାରୁ ଉନ୍ନତ ୱାୟାରଲେସ୍‌ ନେଟୱର୍କରେ ଏହି ସେବା ଲାଗୁ କରିବା କଥା କୁହାଯାଇଛି। ୨G, ୩G ଏବଂ ଲ୍ୟାଣ୍ଡଲାଇନ୍‌ ନେଟୱର୍କ ପାଇଁ ପରବର୍ତ୍ତୀ ସମୟରେ ଅଲଗା ନିଷ୍ପତ୍ତି ନିଆଯାଇପାରେ।

ଅଜଣା ନମ୍ବରରୁ ଆସୁଥିବା କଲ୍‌ର ପରିଚୟ ଜାଣିବା ଏବଂ କଲ୍‌ ରିସିଭ୍‌ କରିବେ କି ନାହିଁ, ସେନେଇ ଗ୍ରାହକଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ହେଉଛି CNAP ସେବାର ମୁଖ୍ୟ ଉଦ୍ଦେଶ୍ୟ। ଏହା ଦ୍ୱାରା ସ୍ପାମ୍‌ ଓ ଠକେଇ କଲ୍‌ ଚିହ୍ନଟ କରିବା ସହଜ ହୋଇପାରେ।ତେବେ କେବଳ ନାଁ ଦେଖାଯାଉଛି ବୋଲି ପ୍ରତ୍ୟେକ କଲ୍‌କୁ ବିଶ୍ୱସନୀୟ ବୋଲି ଧରିନେବା ଠିକ୍‌ ନୁହେଁ। ତେଣୁ ଅଜଣା କଲ୍‌ରେ ବ୍ୟକ୍ତିଗତ ସୂଚନା, OTP କିମ୍ବା ବ୍ୟାଙ୍କ୍‌ ସମ୍ବନ୍ଧୀୟ ତଥ୍ୟ ଦେବାବେଳେ ସତର୍କ ରହିବା ଜରୁରୀ।

ଯେଉଁ ଗ୍ରାହକମାନେ ନିର୍ଦ୍ଧାରିତ ନିୟମ ଅନୁଯାୟୀ କଲିଂ ଲାଇନ୍‌ ଆଇଡେଣ୍ଟିଫିକେସନ୍‌ ରିଷ୍ଟ୍ରିକ୍ସନ୍‌ (CLIR) ସେବା ନେଇଥିବେ, ସେମାନଙ୍କ କଲ୍‌ରେ କଲ୍‌ କରୁଥିବା ବ୍ୟକ୍ତିଙ୍କ ନାଁ ପ୍ରଦର୍ଶିତ ହେବ ନାହିଁ। ଏହା ବ୍ୟତୀତ ବ୍ୟବସାୟିକ କିମ୍ବା ବଲ୍କ୍‌ କନେକ୍ସନ୍‌ ଥିବା କମ୍ପାନୀ ଓ ସଂସ୍ଥାଗୁଡ଼ିକ ଯାଞ୍ଚ ପରେ ନିଜର ପଞ୍ଜୀକୃତ ଟ୍ରେଡ୍‌ମାର୍କ କିମ୍ବା GST ପୋର୍ଟାଲ୍‌ରେ ଥିବା ବ୍ୟବସାୟିକ ନାଁ ପ୍ରଦର୍ଶନ କରାଇବାର ସୁବିଧା ପାଇପାରନ୍ତି।

ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସହ ଭୁଲ୍‌ ନାଁ ଦେଖାଯିବା ସମ୍ପର୍କିତ ଅଭିଯୋଗ ଗ୍ରହଣ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବାର ଦାୟିତ୍ୱ ଟେଲିକମ୍‌ କମ୍ପାନୀଗୁଡ଼ିକର ରହିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।