ନାଟୋର ପ୍ରତିରୋଧ କ୍ଷମତା ଅଭାବ

Oct 09, 2026 - 09:01
ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ ରୁଷୀୟ ସାମରିକ ହେଲିକପ୍ଟର ପୋଲାଣ୍ଡ ଆକାଶ ସୀମା ଉଲ୍ଲଂଘନ କରିଥିଲା। ଏହି ଦୁଇଟି ଅନୁପ୍ରବେଶ ଘଟଣା ଦର୍ଶାଉଛି ଯେ ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ନାଟୋ ସୀମାନ୍ତରେ ଅତ୍ୟଧିକ ଚାପ ପକାଉଛି।
ନାଟୋ ନିଜର ଯୁଦ୍ଧବିମାନଗୁଡ଼ିକୁ ପଠାଇ ଡ୍ରୋନ୍‌କୁ ଅଟକାଇବା ଓ ସେଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଆଶ୍ୱାସନାଦାୟକ ହୋଇପାରେ, ହେଲେ ୟୁରୋପ ଏବଂ ନାଟୋ ଏହି ଉତ୍ତେଜନାମୂଳକ କାର୍ଯ୍ୟକଳାପ ବିରୋଧରେ କ’ଣ କରିବେ? ନାଟୋ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇପାରିଛି, କିନ୍ତୁ ରୁଷିଆର ଆକ୍ରମଣ ପାଇଁ ତାକୁ ଦଣ୍ଡିତ କରିବାକୁ କମ୍‌ ଇଚ୍ଛୁକ ଥିବା ଜଣାପଡ଼ୁଛି।
ୟୁରୋପର ସୁରକ୍ଷା ସମସ୍ୟାର ମୂଳରେ ରହିଛି ପ୍ରତିରୋଧ କରିବାର ବିଫଳତା। ଗୋଟିଏ ପଟେ ଏସ୍ତୋନିଆ, ଲାଟଭିଆ, ଲିଥୁଆନିଆ, ପୋଲାଣ୍ଡ ଏବଂ ରୋମାନିଆ ଭଳି ଦେଶଗୁଡ଼ିକ ରୁଷିଆର ସାମରିକ ଏବଂ ଅଣ ସାମରିକ ବିପଦର ମୁକାବିଲା କରୁଛନ୍ତି। ସେମାନେ ବାୟୁସେନା ଓ ମିସାଇଲ ପ୍ରତିରକ୍ଷା, ଡ୍ରୋନ୍‌ ପ୍ରତିରୋଧୀ ବ୍ୟବସ୍ଥା, ସାଇବର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରୁଛନ୍ତି। ନାଟୋ ଏହାର ପୂର୍ବ ସୀମାକୁ ଅଧିକ ମଜଭୁତ କରିଛି ଏବଂ ୟୁରୋପୀୟ ସରକାରଗୁଡ଼ିକ ପୁଣି ଥରେ ସାମରିକ କ୍ଷମତାର ପୁନଃନିର୍ମାଣ କରୁଛନ୍ତି। ଆଟ୍‌ଲାଣ୍ଟିକ କାଉନ୍‌ସିଲର ଏକ ନୂତନ ରିପୋର୍ଟରେ ମୁଁ ଦର୍ଶାଇଛି ଯେ, ନାଟୋ ଦେଶଗୁଡ଼ିକରେ ସବୁବେଳେ କିଛି ଅଭାବ ରହୁଛି। ଏବେ ବି ସେମାନେ ଘଟଣା ଘଟିବା ପରେ ହିଁ ପ୍ରତିରକ୍ଷାମୂଳକ ପଦକ୍ଷେପ ନେବା ସହ ପ୍ରତିକ୍ରିୟାଶୀଳ ହେବା ଦେଖାଯାଉଛି।
ନାଟୋର ପୂର୍ବ ସୀମା ଉପରେ ରୁଷିଆ ଉଭୟ ସାମରିକ ତଥା ଅଣ ସାମରିକ ଆକ୍ରମଣ କରୁଛି। ଏଥିରେ ରହିଛି ସୀମା ଅତିକ୍ରମ କରୁଥିବା ଡ୍ରୋନ୍‌ ଆକ୍ରମଣ, ଜିପିଏସ୍‌ ସଙ୍କେତରେ ବାଧା, ଭିତ୍ତିଭୂମି କ୍ଷତି ଏବଂ ସରକାର ଓ ବ୍ୟବସାୟକୁ ଟାର୍ଗେଟ୍‌ କରୁଥିବା ସାଇବର ଆକ୍ରମଣ। ରୁଷିଆର କ୍ରମାଗତ ଚାପ ସହ ମୁକାବିଲା କରୁଥିବା ନାଟୋର ପୂର୍ବସୀମାରେ ଥିବା ଦେଶଗୁଡ଼ିକ ଦୀର୍ଘ ସମୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ତଥାପି ନାଟୋ ନିଜେ ଏହାକୁ ଭିନ୍ନ ଦୃଷ୍ଟିକୋଣରୁ ଚିନ୍ତା କରୁଛି। ସାମ୍ପ୍ରତିକ ଉତ୍ତେଜନା ନାଟୋର ପ୍ରତିରକ୍ଷା ଧାରା ୫କୁ ଲାଗୁକରିବା ପାଇଁ ଗମ୍ଭୀର କି? ଡ୍ରୋନ୍‌ ଅନୁପ୍ରବେଶ କ’ଣ ଉଦ୍ଦେଶ୍ୟମୂଳକ ଥିଲା? ସେହି କ୍ଷୟକ୍ଷତି ପାଇଁ କ’ଣ ରୁଷିଆକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରାଯାଇପାରିବ? ଏହି ଘଟଣା କ’ଣ ସ୍ଥିତିକୁ ଅଧିକ ଜଟିଳ କରିବ?
ଏପରି ସତର୍କତା ଅବଲମ୍ବନ କରିବା ସ୍ବାଭାବିକ। ସତର୍କ ରହିଲେ ମଧ୍ୟ ବିପଦ ଆସିପାରେ। ଏହିଭଳି ଘଟଣାଗୁଡ଼ିକ ନାଟୋର ସହନଶୀଳତାର ପରୀକ୍ଷା ନେବା ପାଇଁ କ୍ରେମ୍‌ଲିନ୍‌କୁ ପ୍ରୋତ୍ସାହନ ଯୋଗାଉଛି।
କେବଳ ଆକ୍ରମଣକୁ ସାମ୍ନା କଲେ ଚଳିବନି, ପ୍ରତିରୋଧ କ୍ଷମତା ରହିବା ଜରୁରୀ। ଆପଣଙ୍କ ଶତ୍ରୁ ବିଶ୍ୱାସ କରିବା ଆବଶ୍ୟକ ଯେ, ଆପଣଙ୍କ ଉପରେ ଆକ୍ରମଣ କଲେ ତାହାର ପରିଣାମ ତା’ ପାଇଁ ଅଧିକ କ୍ଷତିକାରକ ହେବ। ନାଟୋ ଏଭଳି ଏକ ରଣନୀତି ଉପରେ ବହୁ ନିବେଶ କରିଛି, ଯାହାକୁ ରଣନୀତିକାରମାନେ ‘ଡିଟରେନ୍ସ ବାଇ ଡେନିଆଲ’ କହନ୍ତି, ଅର୍ଥାତ୍‌ ରୁଷିଆ ପାଇଁ ମିଳିତ ସହଯୋଗୀ ଦେଶଗୁଡ଼ିକର ସୀମା ମଧ୍ୟକୁ ପ୍ରବେଶ କରିବା କିମ୍ବା ତା’ର ଉଦ୍ଦେଶ୍ୟ ହାସଲ କରିବାକୁ କଷ୍ଟକର କରିଦେବା। କିନ୍ତୁ ଏବେ ଏହାକୁ ‘ଡିଟରେନ୍ସ ବାଇ ପନିଶମେଣ୍ଟ’ ବା ‘ଦଣ୍ଡ ଦ୍ୱାରା ପ୍ରତିରୋଧ’ର ଆବଶ୍ୟକତା ରହିଛି। ପରବର୍ତ୍ତୀ ସମୟରେ ଯେତେବେଳେ ରୁଷିଆର ଏକାଧିକ ଡ୍ରୋନ୍‌ ପୋଲାଣ୍ଡ କିମ୍ବା ବାଲ୍‌ଟିକ ଆକାଶମାର୍ଗରେ ପ୍ରବେଶ କରିବ କିମ୍ବା ଅସ୍ତ୍ରଶସ୍ତ୍ର ନର୍ମାଣକାରୀ ସଂସ୍ଥାକୁ ଟାର୍ଗେଟ୍‌ କରିବ କିମ୍ବା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ନଷ୍ଟ କରିିବ, ସେତେବେଳେ କେବଳ ସାଧାରଣ ଚିରାଚରିତ ନିନ୍ଦାସୂଚକ ମନ୍ତବ୍ୟ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ଦଣ୍ଡାତ୍ମକ ପଦକ୍ଷେପ ଅର୍ଥ ସାମରିକ ଯୁଦ୍ଧ ନ ବଢ଼ାଇ ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ଅନେକ ପଦକ୍ଷେପ ନେଇପାରିବ। ଏଥିରେ ନିର୍ଦ୍ଦିିଷ୍ଟ ବ୍ୟକ୍ତି ଓ ଶିଳ୍ପଗୁଡ଼ିକ ଉପରେ ଲକ୍ଷ୍ୟଭିତ୍ତିକ ପ୍ରତିବନ୍ଧକ, କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର, ଯାତ୍ରା ଏବଂ ବାଣିଜି୍ୟକ ପ୍ରବେଶ ଉପରେ କଟକଣା, ରୁଷିଆ ଏବଂ ବେଲାରୁଷର ପରିବହନ ଉପରେ କଠୋର ନିୟନ୍ତ୍ରଣ, ଆଇନଗତ ଭାବେ ସମନ୍ବିତ ସାଇବର୍‌ ପଦକ୍ଷେପ ଏବଂ ରୁଷିଆର ଆକ୍ରମଣ ପଛରେ ଥିବା ନେଟୱର୍କଗୁଡ଼ିକୁ ପ୍ରକାଶ କରୁଥିବା ରଣନୀତିକ ଯୋଗାଯୋଗ ଅନ୍ତର୍ଭୁକ୍ତ।
କ୍ରେମ୍‌ଲିନ୍‌କୁ ପୂର୍ବରୁ ଜଣାଇଦେବାକୁ ପଡ଼ିବ ଯେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ଦେବାକୁ ପଡ଼ିବ। ଏହା ଦ୍ବାରା ସଂଘର୍ଷର ବିପଦ ସମ୍ପୂର୍ଣ୍ଣ ଦୂର ହେବ ନାହିଁ, କିନ୍ତୁ ଏବେକାର ଆଭିମୁଖ୍ୟ ଅପେକ୍ଷା ଭଲ ହେବ। ରୁଷିଆ ଯଦି କୌଣସି ପରିଣାମ ନ ଭୋଗେ, ତେବେ ତାହା ନିଶ୍ଚିତ ହୋଇଯିିବ ଯେ, ନାଟୋ ପାଖରେ ଥିବା ଅନେକ ‘ରେଡ ଲାଇନ’ ଅତିକ୍ରମ କଲେ ଦଣ୍ଡ ମିଳିବ ନାହିଁ। ବିଶେଷ କରି ନାଟୋର ପୂର୍ବ ଭାଗରେ ଥିବା ଦେଶଗୁଡ଼ିକ ପାଇଁ ଏହା ଏକ ବିପଜ୍ଜନକ ବାର୍ତ୍ତା।
ଲିଥୁଆନିଆ, ଲାଟଭିଆ, ଏଷ୍ଟୋନିଆ, ପୋଲାଣ୍ଡ ଏବଂ ରୋମାନିଆ ପୂର୍ବରୁ ହିଁ ଅତ୍ୟଧିକ ବୋଝ ବହନ କରୁଛନ୍ତି। ସେମାନେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛନ୍ତି, ଭିତ୍ତିଭୂମିକୁ ସୁରକ୍ଷିତ କରୁଛନ୍ତି, ନିଜର ଲୋକଙ୍କୁ ପ୍ରସ୍ତୁତ କରୁଛନ୍ତି ଏବଂ ପ୍ରତିଦିନ ରୁଷିଆ ଓ ବେଲାରୁଷ ଚାପର ସାମ୍ନା କରୁଛନ୍ତି। ନାଟୋ ସ୍ତରରେ ଥିବା ଅନିଶ୍ଚିତତା ଦୂର କରିବା ପାଇଁ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏମିତି କ୍ଷତି ସହିବେ ବୋଲି ଆଶା କରାଯାଇପାରିବ ନାହିଁ।
ୟୁରୋପକୁ ନିଜ ସୁରକ୍ଷା ପାଇଁ ଅଧିକ ଦାୟିତ୍ୱ ନେବାକୁ ହେବ, ଯାହା ଅଧିକାଂଶ ସରକାର ଇତିମଧ୍ୟରେ ସ୍ବୀକାର କରୁଛନ୍ତି। ତଥାପି ଆମେରିକାର ସହଭାଗିତା ଅପରିହାର୍ଯ୍ୟ ହୋଇରହିଛି। ଆମେରିକା ୟୁରୋପରେ ନିଜର ସାମରିକ ସ୍ଥିତିର ପୁନଃ ସମୀକ୍ଷା କରୁଥିବାରୁ, ଏହି ମହାଦ୍ୱୀପରେ ତାହାର ଭବିଷ୍ୟତର ଉପସ୍ଥିତି ଏବଂ ମିଳିତ-ପ୍ରତିରକ୍ଷା ପ୍ରତିବଦ୍ଧତାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଫଳରେ ଆଉ ଏକ ନୂଆ ବିକଳ୍ପ ସୃଷ୍ଟିର ଆଶଙ୍କା ରହିଛି।
ସୌଭାଗ୍ୟବଶତଃ, ନାଟୋକୁ ପ୍ରତିଶୋଧର ରଣନୀତି ଗ୍ରହଣ କରିବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଘଟଣାକୁ ସମ୍ଭାବ୍ୟ ସାମରିକ ସଂଘର୍ଷରେ ପରିଣତ କରିବାର ମଧ୍ୟ ଆବଶ୍ୟକତା ନାହିଁ। ବରଂ ଖୋଲା ଯୁଦ୍ଧର ଛାୟା ତଳେ ଘଟୁଥିବା ଆକ୍ରମଣାତ୍ମକ କାର୍ଯ୍ୟ ବିରୋଧରେ ଏକ ବିଶ୍ୱସନୀୟ, ସମନ୍ବିତ ଏବଂ ପୂର୍ବାନୁମାନଯୋଗ୍ୟ ଜବାବ ଦେବାର ଆବଶ୍ୟକତା ରହିଛି। ରୁଷିଆର ପରୋକ୍ଷ ଏବଂ ପ୍ରତ୍ୟକ୍ଷ ସାମରିକ ଉତ୍ତେଜନାମୂଳକ କାର୍ଯ୍ୟର ମୁକାବିଲା କରିବା ପାଇଁ ନାଟୋ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତ କରିବା ଉଚିତ। ଏହା ସହ ଅଧିକ ମନ୍ତବ୍ୟ ନ ଦେଇ ପଦକ୍ଷେପ ନେବାର ବ୍ୟବସ୍ଥା କରୁ। ସାମ୍ପ୍ରତିକ ଘଟଣାବଳୀ ପ୍ରମାଣିତ କରେ ଯେ, ନାଟୋ ନିଜର ଆକାଶମାର୍ଗକୁ ରକ୍ଷା କରିପାରିବ। ଏହାର ପୂର୍ବ ସୀମାନ୍ତରେ ରହୁୁଥିବା ଲୋକମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପ୍ରକୃତ ପ୍ରତିରୋଧ କ୍ଷମତା ରହିଲେ ଆଉ ଡ୍ରୋନ୍‌ଗୁଡ଼ିକୁ ଗୁଳି କରି ଖସାଇବାର ଆବଶ୍ୟକତା ପଡ଼ିବ ନାହିଁ।

ଅଗ୍ନିଆ ଗ୍ରିଗାସ

-ନନ୍‌ରେସିଡେଣ୍ଟ ସିନିୟର୍‌ ଫେଲୋ,
ଆଟ୍‌ଲାଣ୍ଟିକ କାଉନସିଲ

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।