ନିର୍ଜନ ଜଙ୍ଗଲ ଭିତରକୁ ଆଲିଆଙ୍କୁ ନେଇଗଲେ ରଣବୀର, ହଠାତ୍ ଗାଡ଼ି ରଖି କହିଲେ…
ବଲିଉଡ୍ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀକୁ ନେଇ ପୁଣି ଚର୍ଚ୍ଚା। ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିବା ଏହି ଯୋଡ଼ିଙ୍କ ବିବାହ ପୂର୍ବର ଏକ ସୁନ୍ଦର ମୁହୂର୍ତ୍ତର କାହାଣୀ ଏବେ ସାମ୍ନାକୁ ଆସିଛି। ଏକ ନିର୍ଜନ ଜଙ୍ଗଲ ଅଞ୍ଚଳରେ ଆଣ୍ଠୁମାଡ଼ି ବସି ଆଲିଆଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରଣବୀର। ଏହି ରୋଚକ ଘଟଣା ନିଜେ ରଣବୀର କପୁର ‘କୌନ ବନେଗା କରୋଡ଼ପତି’ ମଞ୍ଚରେ ଶୁଣାଇଛନ୍ତି।
ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ରାମାୟଣ’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ ପାଇଁ ସେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ରେ ପହଞ୍ଚିଥିଲେ। ସେଠାରେ ଆଲିଆଙ୍କୁ ବିବାହ ପ୍ରସ୍ତାବ ଦେବାର ସେହି ସ୍ମରଣୀୟ ମୁହୂର୍ତ୍ତ ବିଷୟରେ କହିଥିଲେ। ରଣବୀର ଗାଇଡ ଓ ଡ୍ରାଇଭରଙ୍କୁ କୌଣସି ନିର୍ଜନ ସ୍ଥାନରେ ଜଙ୍ଗଲ ଭିତରେ ଗାଡ଼ି ଅଟକାଇବାକୁ ଆଗୁଆ କହି ରଖିଥିଲେ। ସେ ଘରୁ ଏକ ମୁଦି ନେଇ ଆସିଥିଲେ ଏବଂ ଆଲିଆଙ୍କୁ ସେଠାରେ ବିବାହ ପ୍ରସ୍ତାବ ଦେବାକୁ ଯୋଜନା କରିଥିଲେ। ସେ ଡ୍ରାଇଭରଙ୍କୁ ଆଣ୍ଠୁମାଡ଼ି ବସିବା ସମୟରେ ଦୂରରୁ ଫଟୋ ଉଠାଇବାକୁ ମଧ୍ୟ କହିଥିଲେ। ତାଙ୍କ ମତରେ, ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିବା ପାଇଁ ଝିଅମାନଙ୍କୁ ଫଟୋ ଭଲ ଲାଗେ, ତେଣୁ ଆଲିଆଙ୍କ ପାଇଁ ଏହା ଜରୁରୀ ବୋଲି ସେ ଭାବିଥିଲେ। ଏହା ଶୁଣି ଅମିତାଭ ବଚ୍ଚନ ହସି ହସି କହିଥିଲେ, କିଛି ପ୍ରମାଣ ରହିବା ଦରକାର। ଏହାର ଉତ୍ତରରେ ରଣବୀର କହିଥିଲେ ଯେ ମୁଦି ତାଙ୍କ ପାଖରେ ଥିଲା, ଯାହାକୁ ସେ ଘରୁ ନେଇ ଆସିଥିଲେ।
ଏହି କାହାଣୀର ସବୁଠାରୁ ରୋଚକ ଅଂଶ ଥିଲା ସେହି ଜଙ୍ଗଲର ପରିବେଶ। ରଣବୀର ମଜାଳିଆ ଢଙ୍ଗରେ କହିଥିଲେ, ତାଙ୍କଠାରୁ ପ୍ରାୟ ୧୦୦ ଫୁଟ ଦୂରରେ ତିନୋଟି ବବ୍ବର ସିଂହ ଥିଲେ। ଆଉ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ ତାଙ୍କ ‘ସିଂହୀ’ ଆଲିଆ। ସେହି ସମୟରେ ସେ ନିଜକୁ ଏକ ମୂଷା ଭଳି ଅନୁଭବ କରୁଥିଲେ। ଆଣ୍ଠୁମାଡ଼ି ବସି ସେ ଆଲିଆଙ୍କୁ ପଚାରିଥିଲେ, ବେବି, ତୁମେ ମୋତେ ବିବାହ କରିବ କି? ରଣବୀର ଓ ଆଲିଆଙ୍କ ଏହି ରୋମାଣ୍ଟିକ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।